ଆଜି ନବୀନ-ଜଗନ ଆଲୋଚନା: ସୀମା ବିବାଦ ସହ ଅନ୍ତଃରାଜ୍ୟ ଜଳ ବିବାଦ ତୁଟାଇବାକୁ ହୋଇପାରେ ମିଳିତ ଟାସ୍କ ଫୋର୍ସ

ଭୁବନେଶ୍ବର(କେନ୍ଯୁଜ୍): ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନ ମୋହନ ରେଡ୍ଡୀ । ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ । ଅପରାହ୍ନ ସାଢେ ୪ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ଜଗନ ମୋହନ ।

ସଂଧ୍ୟା ସାଢେ ୫ଟାରେ ଲୋକସେବା ଭବନରେ ନବୀନ ପଟ୍ଟନାୟକଙ୍କୁ ସାକ୍ଷତ କରିବେ । ଆଲୋଚନା ଏଜେଣ୍ଡାରେ ସ୍ଥାନ ପାଇପାରେ କୋଟିଆ, ବଂଶଧାରାରେ ନେରେଡି ବ୍ୟାରେଜ ଓ ପୋଲାଭରମ ପ୍ରସଙ୍ଗ। ସୀମା ବିବାଦ ସହ ଅନ୍ତଃରାଜ୍ୟ ଜଳ ବିବାଦ ତୁଟାଇବାକୁ ମିଳିତ ଟାସ୍କ ଫୋର୍ସ ହୋଇପାରେ।

ଯାହା ସୂଚନା ମିଳିଛି, ନବୀନ ଓ ଜଗନଙ୍କ ସାକ୍ଷାତରେ ମୁଖ୍ୟତଃ ବଂଶଧାରା ନଦୀରେ ନେରେଡି ବ୍ୟାରେଜ ନିର୍ମାଣ ନେଇ ବିବାଦ ଉପରେ ହୋଇପାରେ ଆଲୋଚନା । ପୂର୍ବରୁ ଚଳିତ ବର୍ଷ ଏପ୍ରିଲ ୧୬ରେ ଏହି ପ୍ରସଙ୍ଗରେ ନବୀନଙ୍କୁ ଚିଠି ଲେଖିଥିଲେ ଜଗନ । ୨୦୧୭ରେ ବଂଶଧାନା ଜଳ ବିବାଦ ଟ୍ରିବ୍ୟୁନାଲ ନେରେଡି ଠାରେ ବ୍ୟାରେଜ ନିର୍ମାଣ ପାଇଁ ଅନୁମତି ଦେଇଥିଲେ। ବ୍ୟାରେଜର ବାମ ପାର୍ଶ୍ୱ ସ୍ଳୁଇସ ଦ୍ୱାରା ଓଡ଼ିଶାର ଗଜପତି ଜିଲ୍ଲାକୁ ମଧ୍ୟ ଜଳସେଚନର ସୁବିଧା ମିଳିବ । ବ୍ୟାରେଜ ନିର୍ମାଣ ଦ୍ୱାରା ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଓ ଓଡ଼ିଶାର ଗଜପତି ଜିଲ୍ଲାକୁ ପିଇବା ପାଣି ସହ ଜଳସେଚନ ହୋଇପାରିବ ।

ବଂଶଧାରାର ୭୫ ପ୍ରତିଶତ ବନ୍ୟା ଜଳ ସମୁଦ୍ରକୁ ଚାଲିଯାଉଥିବାରୁ ବ୍ୟାରେଜ ନିର୍ମାଣ ଦ୍ୱାରା ଏହାକୁ ସଂଚୟ କରି ରଖାଯାଇପାରିବ ବୋଲି କହିଛନ୍ତି ଜଗନ। କିନ୍ତୁ ଓଡ଼ିଶା ସରକାର ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ ଓ ସୁପ୍ରିମ କୋର୍ଟଙ୍କ ନିକଟରେ ସ୍ପେଶାଲ ଲିଭ ପିଟିସନ ଦାୟର କରି କିଛି ପ୍ରସଙ୍ଗରେ ସ୍ପଷ୍ଟୀକରଣ ମାଗିଛନ୍ତି। ଫଳରେ ଟ୍ରିବ୍ୟୁନାଲଙ୍କ ରାୟ ଏଯାଏ କାର୍ଯ୍ୟକାରୀ ହୋଇପାରିନାହିଁ । ଏଥିପାଇଁ ବ୍ୟାରେଜ ନିର୍ମାଣରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସହମତି ଲୋଡ଼ିଛନ୍ତି ଜଗନ ମୋହନ ରେଡ୍ଡୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.