ଭୁବନେଶ୍ୱର (କେନ୍ୟୁଜ): ନିର୍ବାଚନ ଫଳାଫଳ ଆସିବା ପରେ ଦଳମତ ନିର୍ବିଶେଷରେ ସମସ୍ତ ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡିର ସମସ୍ତ କର୍ମୀ ଓ ନେତାଙ୍କ ନିଷ୍ଠାପର ଉଦ୍ୟମ ଓ ତ୍ୟାଗ ପ୍ରତି ସମ୍ମାନ ଓ ଧନ୍ୟବାଦ ଜଣାଇଛନ୍ତି। ଆଜି ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ଦେବେ ମୁଖ୍ୟମନ୍ତ୍ରୀ । ନୂଆ ସକାର ଗଠନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଦାୟିତ୍ବ ତୁଲାଇବାକୁ ନବୀନଙ୍କୁ କହି ପାରନ୍ତି ରାଜ୍ୟପାଳ।
ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୪ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ନିର୍ବାଚନରେ ପରାଜିତ ହୋଇଛନ୍ତି । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ସେ ହାରି ଯାଇଛନ୍ତି। ଭାଜପା ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କ ତାଙ୍କୁ ପରାସ୍ତ କରିଛନ୍ତି। ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ହିଞ୍ଜିଳି ସମେତ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଥିଲେ। ଉଭୟ ଆସନରେ ବିଜୟୀ ହେବେ ବୋଲି ଆଶା କରାଯାଉଥିଲା । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନିଜର ପାରମ୍ପରିକ ସିଟ୍ ହିଞ୍ଜିଳିରୁ ୪୬୪୯ ଖଣ୍ଡ ଭୋଟରେ ଜିତିଛନ୍ତି। ସେ ଭାଜପାର ଶିଶିର କୁମାର ମିଶ୍ରଙ୍କୁ ପରାସ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ୬୬,୩୫୮ ଖଣ୍ଡ ଭୋଟ୍ ପାଇଥିବା ବେଳେ ଶିଶିର କୁମାର ମିଶ୍ର ୬୧,୭୦୯ ଖଣ୍ଡ ଭୋଟ୍ ପାଇଛନ୍ତି।