ଢେଙ୍କାନାଳ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ, କାଳିଆ ଛାତ୍ରବୃତ୍ତି ଯୋଜନାର କଲେ ଶୁଭାରମ୍ଭ

ଅନୁଗୁଳ : ହିନ୍ଦୋଳ କୃଷକ ସମାବେଶରେ କାଳିଆ ଛାତ୍ରବୃତ୍ତି ଯୋଜନାର ଶୁଭାରମ୍ଭ । ହିନ୍ଦୋଳ ଓ ଅନୁଗୁଳରେ ୨ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଢେଙ୍କାନାଳ ଜିଲ୍ଲାର ୯୫୩ କୋଟି ଟଙ୍କାର ୧୦୩ଟି ପ୍ରକଳ୍ପ, ଅନୁଗୁଳ ଜିଲ୍ଲାର ୧ହଜାର ୧୨୯ କୋଟି ଟଙ୍କାର ୩୬ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଢେଙ୍କାନାଳ ଜିଲ୍ଲାରେ ୨ହଜାର ୯୫୪ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ପାଇଁ ୮୧କୋଟି ୫୦ଲକ୍ଷ ଟଙ୍କାର ମେଗା ଜଳସେଚନ ପ୍ରକଳ୍ପ, ଅନୁଗୁଳ ଜିଲ୍ଲାର ୫ହଜାର ୯୦୦ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ପାଇଁ ୧୬୨କୋଟି ୮୦ଲକ୍ଷ ଟଙ୍କାର ମେଗା ଉଠାଜଳସେଚନ ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ବହୁବର ପଡିଆଠାରେ କାଳିଆ ମହାସମାବେଶରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ‘କାଳିଆ ଯୋଜନା ଚାଷୀ ଭାଇଙ୍କ ଯୋଜନା’ କହିବା ସହ ‘ଚାଷୀଙ୍କ ଉନ୍ନତି ପାଇଁ ଏହା ଏକ ଭଲ ଯୋଜନା’ ବୋଲି ଉଲ୍ଲେଖ କରିଥିଲେ । ‘କେନ୍ଦ୍ର ସରକାରଙ୍କ ଯୋଜନା ସମ୍ପର୍କରେ କହିଲେ ଯେ ‘ଯୋଜନାରେ ଭୂମିହୀନ ଚାଷୀଙ୍କ ପାଇଁ ବ୍ୟବସ୍ଥା ନଥିବା ବେଳେ ସେ ଏନେଇ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଏଥି ସହିତ ମହିଳା ଚାଷୀଙ୍କ ଅନୁରୋଧ ପରେ ମୁଖ୍ୟମନ୍ତ୍ରୀ ୨ୟ ପର‌୍ୟ୍ୟାୟ କାଳିଆ ଟଙ୍କା ଏପ୍ରିଲ ୧ରେ ମିଳିବ ବୋଲି ଘୋଷଣା କରିଛନ୍ତି । ଏଥିରେ ଅନୁଗୁଳ ଓ ଢ଼େଙ୍କାନାଳ ଜିଲ୍ଲାରୁ ପ୍ରାୟ ଦେଢ଼ ଲକ୍ଷ ଲୋକ ଯୋଗଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । .