ବିଜେଡିରେ ନାହିଁ ପାଣ୍ଠି, ଅନୁଦାନ ପାଇଁ ଦଳର ସମସ୍ତ ସାଂସଦ ଓ ବିଧାୟକଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ବର : ଦଳର ୨୧ ତମ ପ୍ରତିଷ୍ଠା ଦିବସ ପୂର୍ବରୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଚିଠି । ଦଳର ସାଂସଦ, ବିଧାୟକ ଓ କର୍ମକର୍ତ୍ତାଙ୍କୁ ଚିଠି ଲେଖିଛନ୍ତି ନବୀନ। ବିଜୁ ଜନତା ଦଳର ପାଣ୍ଠିକୁ ଅନୁଦାନ ପାଇଁ ଦଳର ସମସ୍ତ ସାଂସଦ ଓ ବିଧାୟକଙ୍କୁ ଏକମାସର ଦରମା ଚେକ ଆକାରରେ ଦେବାକୁ ପତ୍ରରେ ଅନୁରୋଧ କରାଯାଇଛି। ଦଳୀୟ ପାଣ୍ଠିକୁ ସହାୟତା ଦେବାକୁ ବିଜେଡି ଜିଲ୍ଲା ସଭାପତିମାନେ ଶୁଭେଚ୍ଛୁ ଓ ସମର୍ଥକଙ୍କ ଠାରୁ ମଧ୍ୟ ସହଯୋଗ ଲୋଡ଼ା ଯାଇଛି। ସେହିପରି ଦଳରେ ନୂଆ ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ୱରାନ୍ଵିତ କରି ଦଳକୁ ମଜଭୁତ କରାଇବାକୁ ଧ୍ୟାନ ଦେବାକୁ ନବୀନ ଆହ୍ଵାନ କରିଛନ୍ତି । ପ୍ରତ୍ୟେକ ୱାର୍ଡରୁ ଅତିକମରେ ୨ଶହ ନୂଆ ସଭ୍ୟ ସଂଗ୍ରହ ନେଇ ଧ୍ୟାନ ଦେବାକୁ ପତ୍ରରେ ଉଲ୍ଲେଖ ହୋଇଛି। ରାଜ୍ୟବାସୀଙ୍କ ଭଲପାଇବା ଦଳର ଶକ୍ତି। ଏହା ହିଁ ଦଳକୁ ଦୃଢ ଆଞ୍ଚଳିକ ଦଳ ଭାବେ ଛିଡ଼ା କରାଇପାରିଛି ବୋଲି ପତ୍ରରେ ଲେଖିଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ସେପଟେ ବିଜେଡି ସଭାପତିଙ୍କ ପତ୍ରକୁ ନେଇ ପ୍ରଶ୍ନ କରିଛନ୍ତି ବିରୋଧୀ । ପଚାରିଛନ୍ତି ଶାସନର ୧୯ବର୍ଷ ପରେ କାହିଁକି? ଏହା କେବଳ ରାଜନୈତିକ ନାଟକ ବୋଲି କହିଛନ୍ତି ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ।
ବିଜେଡି କେବଳ ଆଗକୁ ବଢିଚାଲିନି। ବରଂ ସାମାଜିକ ପ୍ରତିବଦ୍ଧତା ମଧ୍ୟ ତୁଲାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଜୀବନ ବିନ୍ଦୁ କାର୍ୟ୍ୟକ୍ରମ ହେଉ ବା ପ୍ରାକୃତିକ ବିପର୍ୟ୍ୟୟରେ ଦଳ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେଇଛି। ଦଳର ଶୃଙ୍ଖଳା ଓ ଏକତା ଅନ୍ୟମାନଙ୍କ ପାଇଁ ଉଦାହରଣ ହେଉ ବୋଲି ପତ୍ର ମାଧ୍ୟମରେ ଆଶା ରଖିଛନ୍ତି ସଭାପତି।