ଓଡ଼ିଶାକୁ ଆଳୁ ପଠାଇବା ପାଇଁ ମମତାଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ

ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ରପ୍ତାନି ବନ୍ଦ ଥିବାରୁ ସେଠାକାର ସରକାରଙ୍କୁ ଚିଠି ଲେଖିଛନ୍ତି ବିରୋଧ ଦଳ ନେତା ନବୀନ ପଟ୍ଟନାୟକ । ଚିଠିରେ ନବୀନ ପଟ୍ଟନାୟକ ଲେଖିଛନ୍ତି ଯେ ‘ଆପଣ ଜାଣନ୍ତି, ଆଳୁ ଆମ ଲୋକଙ୍କ ପାଇଁ ଏକ ଅତ୍ୟାବଶ୍ୟକ ସାମଗ୍ରୀ । ବର୍ଷା ଯୋଗୁ ଓଡ଼ିଶା ବଜାରରେ ଆଳୁର ଯୋଗାଣ ବାଧାପ୍ରାପ୍ତ ହୋଇଛି, ଯାହାଫଳରେ ଦରବୃଦ୍ଧି ହେତୁ ସାଧାରଣ ଜନତା ନାନା ହଇରାଣ ହେଉଛନ୍ତି ।
ମୁଁ ଗଣମାଧ୍ୟମରୁ ଜାଣିବାକୁ ପାଇଲି ଯେ ପଶ୍ଚିମବଙ୍ଗ-ଓଡ଼ିଶା ସୀମାରେ ପାଖାପାଖି ୫୦ରୁ ଅଧିକ ଆଳୁ ବୋଝେଇ ଟ୍ରକ୍ର ଲମ୍ବା ଧାଡ଼ି ଲାଗିଛି ।
ପୂର୍ବରୁ ସମାନ ଘଟଣାରେ, ଆପଣଙ୍କର ମହାନ ଭାବନା ଆମ ଲୋକମାନଙ୍କୁ ପ୍ରେମ ଓ ଭଲପାଇବା ଦେଇଛି । ଓଡ଼ିଶାର ଲୋକ ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଏକ ଦୃଢ଼ ସାଂସ୍କୃତିକ ସମ୍ବନ୍ଧ ରହିଛି ଏବଂ ଆମେ ସମସ୍ତେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଭକ୍ତ । ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଦୟାପୂର୍ବକ ଏହି ସମସ୍ୟା ପ୍ରତି ଦୃଷ୍ଟି ଦିଅନ୍ତୁ ଏବଂ ଓଡ଼ିଶାକୁ ସ୍ୱାଭାବିକ ଆଳୁ ଯୋଗାଣ ନିଶ୍ଚିତ କରନ୍ତୁ । ମୁଁ ଓଡ଼ିଶାର ଲୋକଙ୍କ ପାଇଁ ଆପଣଙ୍କ ସହଯୋଗ କାମନା କରୁଛି’ ।
କହି ରଖୁଛୁ ଯେ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ରପ୍ତାନି ବନ୍ଦ ଥିବାରୁ ଦରବୃଦ୍ଧି ହୋଇଥିବା କୁହାଯାଉଛି । ଜଳେଶ୍ୱରର ସୀମାରେ ଅଟକି ରହିଥିଲା ଆଳୁ ବୋଝେଇ ଟ୍ରକ । ସୋନାକଣିଆ ନିକଟରେ ପଶ୍ଚିମବଙ୍ଗ ପୋଲିସ ଟ୍ରକଗୁଡ଼ିକୁ ଅଟକାଇ ରଖିଥିଲା । ତେବେ ଓଡ଼ିଶା ସୀମାନ୍ତରୁ ଟ୍ରକକୁ ଫେରାଇ ନେଇଛି ପଶ୍ଚିମବଙ୍ଗ ପ୍ରଶାସନ ।