ବଦଳିଛି ନବୀନ ପଟ୍ଟନାୟକଙ୍କ ଆସନ, ହିଞ୍ଜିଳି ବିଧାୟକ ଭାବେ ନେଲେ ଶପଥ

ଭୁବନେଶ୍ୱର (କେନ୍ୟୁଜ): ବିଧାନସଭାରେ ହିଞ୍ଜିଳି ବିଧାୟକ ଭାବେ ଶପଥ ନେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମେ ବିଧାୟକ ଭାବେ ଶପଥ ଗ୍ରହଣ କରିଥିବା ବେଳେ ପର୍ଯ୍ୟାୟକ୍ରମେ ଅନ୍ୟ ବିଧାୟକ ମାନେ ଶପଥ ନେଇଛନ୍ତି । ନବୀନ ପଟ୍ଟନାୟକ ବିଧାନସଭାରେ ପହଞ୍ଚିବା ମାତ୍ରେ ବିଜେଡିର ଅନ୍ୟ ବିଧାୟକ ମାନେ ତାଙ୍କୁ ପାଛୋଟି ନେଇଥିଲେ । ୨୪ ନିର୍ବାଚନରେ ଦୁଇଟି ଆସନରୁ ଲଢିଥିଲେ ନବୀନ ପଟ୍ଟନାୟକ। ହିଞ୍ଜିଳୁ ବିଜୟ ହାସଲ କରିଥିବା ବେଳେ କଣ୍ଟାବାଞ୍ଜି ଆସନରୁ କିନ୍ତୁ ପରାଜିତ ହେବାକୁ ପଡିଥିଲା।
ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଏହା ହେଉଛି ପ୍ରଥମ ବିଧାନସଭା ଅଧିବେଶନ । ଏହି ତିନିଦିନିଆ ଅଧିବେଶନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତ୍ରିସ୍ତରୀୟ କଡ଼ା ସୁରକ୍ଷା ବଳୟ ଭିତରେ ରହିଛି ବିଧାନସଭା । ଗତକାଲି ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡଙ୍ଗୀ ବିଧାନସଭାରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ । ପୋଲିସ କମିଶନର ସଞ୍ଜୀବ ପଣ୍ଡା ଓ ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ମଧ୍ୟ ଏହି ଯାଞ୍ଚ ସମୟରେ ଉପସ୍ଥିତ ଥିଲେ।