ରାଜଧାନୀର ୩ଟି ପୂଜା ମଣ୍ଡପ ବୁଲିଲେ ନବୀନ ପଟ୍ଟନାୟକ, ମହା ଅଷ୍ଟମୀରେ ନେଲେ ମା’ଙ୍କ ଆଶିଷ

ଭୁବନେଶ୍ୱର : ପୂଜା ମଣ୍ଡପ ବୁଲିଲେ ନବୀନ । ରାଜ୍ୟବାସୀଙ୍କୁ ଶାରଦୀୟ ଦୁର୍ଗାପୂଜାର ଅଭିନନ୍ଦନ ଜଣାଇଛନ୍ତି। ରାଜଧାନୀର ୩ଟି ମଣ୍ଡପ ବୁଲି ମାଆଙ୍କ ଆଶିଷ ନେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ପ୍ରଥମ ରସୁଲଗଡ଼ ପୂଜା ମଣ୍ଡପରେ ମା’ଙ୍କ ଦର୍ଶନ କରିଥିଲେ। ଏହାପରେ ସହିଦନଗର ପୂଜାମଣ୍ଡପରେ ମା’ଙ୍କ ଆଶୀର୍ବାଦ ନେଇଥିଲେ। ମହାଷ୍ଟମୀରେ ମା’ଙ୍କ ପୂଜାରେ ସାମିଲ ହେଲେ ନବୀନ ପଟ୍ଟନାୟକ। ଶେଷରେ ବଡ଼ଗଡ଼ ଦୁର୍ଗାପୂଜା ମଣ୍ଡପ ଯାଇ ମା’ଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ ନେଇଛନ୍ତି। ସକାଳ ସାଢେ ୧୦ଟାରୁ ପ୍ରାୟ ଘଣ୍ଟାଏ ଯାଏଁ ମଣ୍ଡପ ଯାଇଁ ମାଆଙ୍କୁ ଦର୍ଶନ କରିଛନ୍ତି ନବୀନ ।
ଏଥିପାଇଁ ନବୀନ ସକାଳ ସାଢେ ୧୦ଟାରେ ନବୀନ ନିବାସରୁ ବାହାରି ୧୦ଟା ୪୫ରେ ରସୁଲଗଡ଼ ପୂଜା ମଣ୍ଡପରେ ପହଞ୍ଚିଥିଲେ । ପରେ ୧୧ଟା ୩ ମିନିଟରେ ସହିଦନଗର ଓ ୧୧ଟା ୨୫ ମିନିଟରେ ବଡ଼ଗଡ଼ ମଣ୍ଡପରେ ପହଞ୍ଚି ମାଆଙ୍କୁ ଦର୍ଶନ କରିଥିଲେ । ନବୀନଙ୍କ ସହ ମେୟର ସୁଲୋଚନା ଦାସ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ଅନ୍ୟ ବିଜେଡ଼ି ନେତା ମାନେ ମଧ୍ୟ ଉପସ୍ଥିତ ଥିଲେ । ନବୀନଙ୍କୁ ଦେଖିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖାଦେଇଥିଲା । ଲୋକଙ୍କ ହୃଦୟରେ ନବୀନ ତାହା ପୁଣିଥରେ ପ୍ରମାଣିତ ହୋଇଛି ।
ସେହିପରି ଦୁର୍ଗତିନାଶିନୀଙ୍କ ଆରାଧନାରେ ପ୍ରକମ୍ପିତ ହେଉଛି ଗଗନ ପବନ । ଘଣ୍ଟ ଘଣ୍ଟା ଓ ଶଙ୍ଖ ଧ୍ୱନିରେ ଉଛୁଳି ପଡୁଛି ପରିବେଶ । ସାରା ରାଜ୍ୟରେ ଶାରଦୀୟ ପାର୍ବଣର ଧୁମ୍ । ଆଜି ମଣ୍ଡପରେ ମହାମାୟାଙ୍କ ମହାଷ୍ଟମୀ ପୂଜା । ଶକ୍ତିପୀଠରେ ଜଗତଜନନୀଙ୍କର ମହାନବମୀ ପୂଜା । ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣ ଓ ଚଣ୍ଡିପାଠରେ ପ୍ରକମ୍ପିତ ହେଉଛି ମଣ୍ଡପ ଓ ଶକ୍ତିପୀଠ । ବିଶେଷ କରି ମହିଳା ମାନେ ଆଜି ଅଷ୍ଟମୀ ବ୍ରତ ରଖି ମା’ଙ୍କ ପାଖରେ ବ୍ରତ, ଶାଢୀ, ଶଙ୍ଖା ଓ ସିନ୍ଦୁର ପୂଜାର୍ଚ୍ଚନା କରିଥାଆନ୍ତି । ମାଆଙ୍କ ଆବାହନକୁ ନେଇ ସବୁଠି ଆଧ୍ୟାତ୍ମିକ ପରିବେଶ, ସବୁଠି ଉତ୍ସବର ମାହୋଲ । ସକାଳୁ ସକାଳୁ ବିଭିନ୍ନ ପୂଜାମଣ୍ଡପରେ ଶ୍ରଦ୍ଧାଳୁଙ୍କ ଧାଡ଼ି ଲାଗିଛି । ମାଆଙ୍କୁ ଦର୍ଶନ କରି ନୈବେଦ୍ୟ ଅର୍ପଣ କରୁଛନ୍ତି ।