ଯାଜପୁର ଓ ଭଦ୍ରକ ଗସ୍ତରେ ମୁଖ୍ୟମନ୍ତ୍ରୀ , ବଡଚଣାବାସୀଙ୍କୁ ୫ ଶହ କୋଟିରୁ ଊର୍ଦ୍ଧ୍ୱ  ଏବଂ ଚାନ୍ଦବାଲିବାସୀଙ୍କୁ ପ୍ରାୟ ୧୬ଶହ କୋଟିର ପ୍ରକଳ୍ପ ଭେଟି

ଯାଜପୁର(କେନ୍ୟୁଜ୍): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯାଜପୁର ଗସ୍ତ । ମୁଖ୍ୟମନ୍ତ୍ରୀ ବଡଚଣାବାସୀଙ୍କୁ ୫ ଶହରୁ ଊର୍ଦ୍ଧ୍ୱ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି। ଗେଙ୍ଗୁଟି ନଦୀ ଉପରେ ବାଇଶି ମୌଜା ସେତୁ ସହ ବଡଚଣା ବ୍ଲକ ପରିସରରେ ସହିଦ ସ୍ତମ୍ଭର ଉଦ୍‌ଘାଟନ କରିଛନ୍ତି । ସେହିପରି ବସୁଧା ଯୋଜନାରେ ମେଗା ପାନୀୟ ପ୍ରକଳ୍ପର ଶିଳାନ୍ୟାସ ଓ ଉଦୟଗିରି-ଲଳିତଗିରି- ରତ୍ନଗିରିକୁ ସଂଯୋଗୀକରଣ ରାସ୍ତାର ଶିଳାନ୍ୟାସ କରିଛନ୍ତି ନବୀନ । ଚଣ୍ଡିଖୋଲ ଠାରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଥମ ରୁରାଲ କ୍ୟାମ୍ପସକୁ ଡିଜିଟାଲ ମାଧ୍ୟମରେ ଉଦଘାଟନ କରିଛନ୍ତି ନବୀନ। ବଡ଼ଚଣା ସଭାରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଚାଷୀ, ମହିଳା ଓ ଯୁବକଙ୍କ ଉନ୍ନତି ଆମର ଲକ୍ଷ୍ୟ। କାଳିଆ ଯୋଜନା ସାରା ଦେଶକୁ ବାଟ ଦେଖାଇଛି। କାଳିଆ ଯୋଜନାରୁ ଜଣେ ବି ଯୋଗ୍ୟ ହିତାଧିକାରୀ ଯେପରି ଯୋଜନାକୁ ବାଦ ନପଡ଼ିବେ ସେନେଇ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

naveenବଡ଼ଚଣା ପରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗସ୍ତ :

ବଡ଼ଚଣା ପରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାଖାପାଖି ୧୬ ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଦୁର୍ଗା ପଡିଆରେ ପଡିଆରେ ୩୯୬ କୋଟି ଟଙ୍କାର ୧୬ଟି ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ୧୧୮୦ କୋଟିରୁ ଅଧିକ ଟଙ୍କାର ୧୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି କାଳିଆ ଯୋଜନା ସାରା ଦେଶକୁ ବାଟ ଦେଖାଇଛି। କ୍ଷୁଦ୍ର ଓ ନାମମାତ୍ର ଚାଷୀ ସହ ଭୂମିହୀନ ଓ ଚାଷୀ ଶ୍ରମିକ କାଳିଆରେ ସାମିଲ ଅଛନ୍ତି। ପିଏମ୍‌ କିଷାନରେ ମଧ୍ୟରେ ଭୂମୀହୀନଙ୍କୁ ସାମିଲ କରିବାକୁ ଦାବି ଦୋହରାଇଛନ୍ତି ନବୀନ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।