ବିଜେଡି ଫୋକସରେ ମହିଳା, ପୁରୀରେ କାଲି ଏସ୍‌ଏଚ୍‌ଜି ଗ୍ରୁପକୁ ନେଇ ବଡ଼ ସମାବେଶ

ଭୁବନେଶ୍ବର : ବାରିପଦା ଯିବେ ନାହିଁ ମୁଖ୍ୟମନ୍ତ୍ରୀ । ବିଜେଡି ଫୋକସରେ ମହିଳା ଭୋଟର । ପୁରୀରେ ଏକ ବଡ଼ଧରଣର ମହିଳା ସମାବେଶ ଆୟୋଜନ କରୁଛି ବିଜେଡି । ମହିଳାଙ୍କ ଆସ୍ଥାଭାଜନ ହେବା ପାଇଁ ସ୍ୱୟଂସହାୟକ ଗୋଷ୍ଠୀମାନଙ୍କୁ ନେଇ କରାଯାଉଛି ଏହି ସମାବେଶ । ଏଥିରେ ଯୋଗ ଦେବେ ପ୍ରାୟ ୫୦ହଜାର ମହିଳା । ପୁରୀ ଇନଡୋର ଷ୍ଟାଡିୟମରେ ପ୍ରସ୍ତୁତି ପହଞ୍ଚିଛି ଚୂଡାନ୍ତ ପର୍ଯ୍ୟାୟରେ ।

ରାଜ୍ୟରେ ରହିଛି ପାଖାପାଖି ୬ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ । ଏହାର ସଦସ୍ୟା ସଂଖ୍ୟା ପ୍ରାୟ ୭୦ଲକ୍ଷ । ପ୍ରତ୍ୟେକ ଏସଏଚଜି ଗ୍ରୁପକୁ ରାଜ୍ୟ ସରକାର ୧୫ହଜାର ଟଙ୍କା ଏବଂ ଗୋଟିଏ ଲେଖାଏଁ ମୋବାଇଲ ବାବଦ ୩ହଜାର ଟଙ୍କା ପ୍ରଦାନ କରିବେ । ଏଥିପାଇଁ ପୁରୀ ଇନଡୋର ଷ୍ଟାଡିୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମହାସମାବେଶ କରାଯାଉଛି । ଏଥିରେ ୫୦ହଜାରରୁ ଅଧିକ ମହିଳା ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅର୍ଥ ରାଶି ପ୍ରଦାନ କରିବେ।

ଶନିବାର ଦିନ ୧୧ଟାରେ ସମାବେଶ ଅନୁଷ୍ଠିତ ହେବ । ରାଜ୍ୟର ସମସ୍ତ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି, ସଂପାଦକଙ୍କ ସହ ସଦସ୍ୟାମାନେ ଯୋଗ ଦେବେ । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେବା ସହ ମହିଳାଙ୍କ ଉଦେଶ୍ୟରେ ସରକାରଙ୍କ ଜନ ମଙ୍ଗଳକାରୀ ଯୋଜନା ସଂପର୍କରେ ଉଦବୋଧନ ଦେବେ।

ରାଜ୍ୟରେ ୪୮ପ୍ରତିଶତ ମହିଳା ଭୋଟର । ପୂର୍ବରୁ ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧିବେଶନ ପୁରୀରେ ହୋଇଥିଲା । ସେଥିରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଯୋଗ ଦେଇଥିଲେ । ମହିଳା ଭୋଟରଙ୍କୁ ନିଜ ସପକ୍ଷକୁ ଆଣିବାକୁ ସବୁ ଦଳ ନିଜର କୌଶଳ ପ୍ରସ୍ତୁତ କରିଛନ୍ତି।