ପହଣ୍ଡି ଅଘଟଣ : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ନବୀନ ପଟ୍ଟନାୟକଙ୍କ ଚିଠି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚିଠି । ଆଡ଼ପ ମଣ୍ଡପକୁ ବଡ଼ ଠାକୁର ବଳଭଦ୍ରଙ୍କ ପହଣ୍ଡି ବେଳେ ଅଘଟଣ ପ୍ରସଙ୍ଗରେ ଚିଠି ଲେଖି ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ । ଘଟିଥିବା ଅଘଟଣ ସାରା ବିଶ୍ବର ଜଗନ୍ନାଥ ପ୍ରେମୀଙ୍କୁ ଗଭୀର ଭାବେ ବ୍ୟଥିତ କରିଛି । ଏହି ଘଟଣାରେ ଅତ୍ୟନ୍ତ ମର୍ମାହତ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।

ମହାପ୍ରଭୁ ଓଡ଼ିଆ ଜାତିର ଇଷ୍ଟ । ତାଙ୍କ ପହଣ୍ଡି ବେଳେ ଏଭଳି ଅଘଟଣ ଅଶ୍ରୁତପୂର୍ବ । ଚାରମାଳରେ ପହଣ୍ଡି ସମୟରେ ବଡ଼ ଠାକୁର ମୁହଁ ମାଡ଼ି ପଡ଼ିବା ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ । ରଥଯାତ୍ରାର ହଜାର ହଜାର ବର୍ଷର ପରମ୍ପରାରେ ଏଭଳି ଘଟଣା କେବେ ଘଟିନଥିଲା । ଆଖିରେ ଦେଖି ମଧ୍ୟ ଏଭଳି ଅଘଟଣକୁ ବିଶ୍ବାସ କରିହେଲା ନାହିଁ ।

ଏଭଳି ସ୍ପର୍ଶକାତର ଘଟଣାରେ ରାଜ୍ୟ ମନ୍ତ୍ରିମଣ୍ଡଳର କିଛି ସଦସ୍ୟ ପ୍ରଦାନ କରିଥିବା ହାଲୁକା ମନ୍ତବ୍ୟ ଜଗନ୍ନାଥ ପ୍ରେମୀଙ୍କ ଦୁଃଖକୁ ଦ୍ବିଗୁଣିତ କରିଛି ।  ଏହି ପରିପ୍ରେକ୍ଷୀରେ ଏଭଳି ଅଘଟଣର ଯେଭଳି ପୁନରାବୃତ୍ତି ନ ଘଟିବ ସେଥିପାଇଁ ମୁଖ୍ଯମନ୍ତ୍ରୀ ସୁନିଶ୍ଚିତ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ବିରୋଧୀ ଦଳ ନେତା । ଏଦିଗରେ ମୁଖ୍ୟମନ୍ତ୍ରୀ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଇ କୋଟି କୋଟି ଭକ୍ତଙ୍କୁ ଆଶ୍ବସ୍ତ କରିବାରେ ସହାୟକ ହେବ ବୋଲି ଆଶା ରଖିଛନ୍ତି ନବୀନ ପଟ୍ଟନାୟକ ।

 

You might also like