ମୃତ ଯୁବ ଚାଷୀଙ୍କ ଘରେ ପହଁଚିଲେ ନବୀନ
ଜଗତସିଂହପୁର: କାନ୍ଦୁଛି ମାଆ କାନ୍ଦୁଛି ସାରା ଗାଁ । ଲିଭିଯାଇଛି ସ୍ତ୍ରୀ ମଥାର ସିନ୍ଦୁର । ବାପ ଛେଉଣ୍ଡ ହୋଇଯାଇଛନ୍ତି ଦୁଇ ଦୁଇଟି ଝିଅ । ୩୩ବର୍ଷର ଭେଣ୍ଡା ପୁଅକୁ ହରାଇ ଯେମିତି ଜଡ ପାଲଟିଯାଇଛନ୍ତି ବୁଢା ବାପା ମାଆ । ଏପଟେ ସ୍ତ୍ରୀ ବାହୁନି ବାହୁନି କାନ୍ଧୁଛି । କହୁଛି ସାତଜନ୍ମକୁ ସୁଖ ଦୁଃଖରେ ଏକାଠି ହେଇ ଚାଲିବାକୁ କଥା ଦେଇ କାହିଁକି ଏମିତି ଠକି ଦେଲ । ଘରର ଏକମାତ୍ର ରୋଜଗାରିଆ ପୁଅ ଚାଲିଗଲା ପରେ ଏବେ ସବୁକିଛି ଅନ୍ଧକାର ।
ଅଦିନିଆ ବର୍ଷା କାଳ ସାଜିଲା । ଖାଲି ଫସଲ ଉଜୁଡେଇଲାନି ଯେ ଉଜୁଡାଇ ଦେଲା ସଂସାର । ବିକଳ କାନ୍ଦ ଶବ୍ଦ ସତେ ଯେମିତି ଛାତି ଫଟାଇ ଦେଉଛି । ଏତେ କଷ୍ଟ, ଏତେ ଦୁଃଖ ଭିତରେ କହାଁକି ବଞ୍ଚିବାକୁ ପଡୁଛି ଏ ଚାଷୀ ପୁଅକୁ । ଆମେ କହୁଛୁ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ ତଣ୍ଡିକୁଳ ପଂଚାୟତ ସାରଣା ଗାଁରେ ଅକାଳରେ ଜୀବନ ହାରିଥିବା ଯୁବ ଚାଷୀଙ୍କ କୃତିବାସ ସ୍ୱାଇଁଙ୍କ କଥା । ୩ ଏକରରୁ ଅଧିକ ଜମିରେ ଧାନ ଚାଷ କରିଥିଲେ । ମାତ୍ର ଅଦିନିଆ ବର୍ଷାରେ ଫସଲ ନଷ୍ଟ ହୋଇଯିବା ହେତୁ ଭାଙ୍ଗିପଡିଲେ କୃତିବାସ । ସୋସାଇଟିରୁ ଋଣ ଆଣିଥିବାରୁ କେମିତି କଣ ଟଙ୍କା ସୁଝିବେ କିଛି ମୁଣ୍ଡରେ ପଶିଲାନି ତାଙ୍କର । ମ୍ରିୟମାଣ ହୋଇ ନେଇଗଲେ ଚରମ ନିଷ୍ପତ୍ତି ।
ଏପଟେ ଘରେ ଦୁଇ କୁନି ଝିଅ । ବଡ ଝିଅ ୫ବର୍ଷର ସାଇସ୍ମିତା ଓ ସାନ ଝିଅ ବର୍ଷକର ଶୁଭସ୍ମିତା । ସ୍ତ୍ରୀ ଲୋରିନା ଏବଂ ରୋଗୀଣା ବାପା ମା’ । ଏଇ ଗତ କେଇ ବର୍ଷ ତଳେ ତାଙ୍କର ବିବାହ ହୋଇଥିଲା । ଯେଉଁ ବାହା ଚିତା ଆଜି ଯାଏ ଲିଭିନି । ହେଲେ ସବୁଦିନ ପାଇଁ ଲିଭିଗଲା ତାଙ୍କର ଜୀବନ ଦୀପ ।
ଏପଟେ ଘଟଣା ପରେ ମୃତ କୃତିବାସଙ୍କ ପରିବାରକୁ ଭେଟିଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଦିନିଆ ବର୍ଷା ଯୋଗୁ ଉଜୁଡିଥିବା ଧାନକୁ ଦେଖିବା ସହ ନବୀନ ଚାଷୀଙ୍କ ଦୁଃଖ ଶୁଣିଛନ୍ତି । ଚାଷୀଙ୍କ ଦୁଃଖ ଶୁଣିବା କ୍ଷଣି ନବୀନ ସିଧାସଳଖ ହେଲିପ୍ୟାଡ଼ରୁ କାର୍ ଯୋଗେ ତଣ୍ଡିକୁଳ ପଂଚାୟତର ଶାରଣା ଗାଁରେ ପହଁଚିଥିଲେ । ନବୀନଙ୍କୁ ଦେଖି ମୃତ ଚାଷୀଙ୍କ ପରିବାର ଲୋକେ ଭୋ ଭୋ ହୋଇ କାନ୍ଦି ନିଜର ଦୁଃଖ ଜଣାଇଲେ ନବୀନ ମଧ୍ୟ ମୃତକ ଚାଷୀଙ୍କ ପରିବାରର ଦୁଃଖ ଶୁଣିବା ସହ ଏ ଦିଗରେ ପଦକ୍ଷେପ ନେବାକୁ କହିଛନ୍ତି ।
ତେବେ ମୃତକ ପରିବାରକୁ ନବୀନ ଭେଟିବା ସମୟରେ ଶାରଣା ଗ୍ରାମବାସୀଙ୍କୁ ନବୀନଙ୍କ ନିକଟରେ ଏକାଠି ହେବା ଦେଖିବାକୁ ମିଳିଥିଲା । ଚାଷୀଙ୍କ ଏଭଳି ଦୁଃଖ ସମୟରେ କାହାର ଦେଖା ମିଳିନଥିବାବେଳେ ମୁରବି ଭାବେ ନବୀନଙ୍କ ଉପସ୍ଥିତିକୁ ନେଇ ସଭିଏଁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଥିଲା ।
ଏପଟେ ଜୀବନ ହାରିଥିବା ଯୁବ ଚାଷୀଙ୍କ ଘରକୁ ଯାଇଥିଲି ଓ ଏହା ଏକ ଦୁଃଖଦାୟକ ଘଟଣା । ସରକାର ତୁରନ୍ତ ଯୁବ ଚାଷୀ ପରିବାରକୁ ସହାୟତା ପ୍ରଦାନ କରନ୍ତୁ ବୋଲି କହିଛନ୍ତି ନବୀନ । ଏହା ନବୀନ କହିଛନ୍ତି,ଗତକାଲି ଗଞ୍ଜାମ ଯାଇଥିଲି ଆଜି ଜଗତସିଂହପୁର ଜିଲ୍ଲା ଆସିଛି । ବ୍ୟାପକ କ୍ଷୟକ୍ଷତି ହୋଇଛି । ତୁରନ୍ତ ରାଜ୍ୟ ସରକାର ସହାୟତା ପ୍ରଦାନ କରନ୍ତୁ । ସେପଟେ ନବୀନ ଆସିବା ପରେ ଶାରଣାର ମୃତ ଚାଷୀଙ୍କୁ ପରିବାର ସହ ରାଜସ୍ୱ ବିଭାଗର ଅଧିକାରୀ ମାନେ ଆସି ଆଲୋଚନା କରିଥିବା ଦେଖିବାକୁ ମିଳିଛି ।
ଅନ୍ୟପକ୍ଷରେ ନବୀନଙ୍କୁ ଦେଖା କରି ଚାଷୀମାନେ ନିଜ ଗଜା ଧାନକୁ ଦେଖାଇବା ସହ ନବୀନଙ୍କ ଶାସନ ସମୟର କଥାକୁ ମନେ ପକାଇଥିଲେ । ନବୀନ ଆମର ସାହା ଭରଷା ବୋଲି କହିବା ସହ ସେ ଅଛନ୍ତି ଓ ରହିବେ ବୋଲି ଲୁହ ଛଳ ଛଳ ଆଖିରେ ଚାଷୀମାନେ କହିଛନ୍ତି । ୨୪ ବର୍ଷ ନବୀନ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯାହା କରିଛନ୍ତି, ନା କିଏ କରିଥିଲା ନା କିଏ କରିବ । ନବୀନଙ୍କୁ ଦେଖା କରି ଦୁଃଖ ଶୁଣେଇଥିବାରୁ ସେମାନଙ୍କ ଦୁଃଖ ଦୂର ହେବ ବୋଲି କ୍ଷତିଗ୍ରସ୍ତ ଚାଷୀମାନେ କହିଛନ୍ତି । ବିରଧୀ ଦଳ ନେତା ନବୀନ ଆସିଲେ ପରିବାରର ଦୁଃଖ ଶୁଣି ପ୍ରତିଶୃତି ବି ଦେଲେ । ହେଲେ ବାପା ଛେଉଣ୍ଡ ଦୁଇ ଝିଅଙ୍କ ଭବିଷ୍ୟତ ପାଇଁ ରାଜ୍ୟ ସରକାରଙ୍କୁ ବି ସହାୟତା କରିବାକୁ ନେହୁରା କରିଛନ୍ତି ପରିବାର ସହ ଗାଁ ଲୋକେ ।