ଜାପାନ ଗସ୍ତର ତୃତୀୟ ଦିନରେ ନିପ୍ପନ ପ୍ଲାଣ୍ଟରେ ନବୀନ, ଓ୍ବାର୍କସ ସେଣ୍ଟର ବୁଲିଲେ ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳ

ନିପ୍ପନ ଷ୍ଟିଲ୍‌ ବୁଲିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାରେ ନିପ୍ପନ ଷ୍ଟିଲ ବଡ଼ ନିବେଶ କରିବା ପାଇଁ ପ୍ରସ୍ତାବ ଦେଇଛି । ତା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିପ୍ପନ ଷ୍ଟିଲ କର୍ପୋରେସନ ଯାଇ ବୁଲିଛନ୍ତି ।

(କେନ୍ୟୁଜ): ଜାପାନ ଗସ୍ତର ତୃତୀୟ ଦିନରେ ନିପ୍ପନ ଷ୍ଟିଲ ପ୍ଲାଣ୍ଟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ସହ ପ୍ଲାଣ୍ଟ ବୁଲି ଦେଖିଛି ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳ । ସେମାନେ କିମିସ୍ତୁ ଷ୍ଟିଲ୍‌ ଓ୍ଵାର୍କ ପ୍ଲାଣ୍ଟ ଓ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସେଣ୍ଟର ପରିଦର୍ଶନ କରିଛନ୍ତି । ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳରେ ଅଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ମୁଖ୍ୟ ସଚିବ ପ୍ରଦୀପ ଜେନା, ଫାଇଭ୍‌ ଟି ସଚିବ ଭି. କେ. ପାଣ୍ଡିଆନ୍‌, ଶିଳ୍ପ ସଚିବ ହେମନ୍ତ ଶର୍ମା, ଇପିକଲ୍‌ ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆ ପ୍ରମୁଖ । ନିପ୍ପନ ଷ୍ଟିଲ୍‌ ପ୍ଲାଣ୍ଟ ବୁଲି ଦେଖିବା ବେଳେ ସେମାନଙ୍କର ପରିବେଶ ଉପଯୋଗୀ ପଦକ୍ଷେପ ଦେଖି ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଗ୍ରୀନ୍‌ ଟେକ୍ନୋଲୋଜି ଉପଯୋଗରେ ଷ୍ଟିଲ୍‌ ଉତ୍ପାଦନରେ ସେମାନେ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ସହଯୋଗରେ କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ହେବାକୁ ଥିବା ଷ୍ଟିଲ ପ୍ଲାଣ୍ଟ ନେଇ ଆଶାବାଦୀ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଜାପାନ ଗସ୍ତର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ନିପ୍ପନ ଷ୍ଟିଲ କର୍ପୋରେସନର ଅଧ୍ୟକ୍ଷ ଇଜି ହାସିମୋତୋଙ୍କୁ ଭେଟିଥିଲେ । ତାଙ୍କ ସହ ଓ୍ଵାନ୍‌ ଟୁ ଓ୍ଵାନ ଆଲୋଚନା କରିଥିଲେ । ନିପନ୍‌ ଷ୍ଟିଲ୍‌ ଏବଂ ଓଡ଼ିଶା ସରକାର ସହଭାଗିତାରେ କାର୍ଯ୍ୟ କରିବା ନେଇ କଣ ସୁଯୋଗ ରହିଛି ସେ ନେଇ ଆଲୋଚନା ହୋଇଥିଲା । ନିପ୍ପନ ଷ୍ଟିଲ ଅଧ୍ୟକ୍ଷ କହିଥିଲେ, ତାଙ୍କ କମ୍ପାନୀର ଏକମାତ୍ର ଉଦ୍ଦେଶ୍ୟ ଓଡ଼ିଶାରେ ବିଶ୍ୱର ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବା । ବାର୍ଷିକ ଉତ୍ପାଦନ କ୍ଷମତା ହେବ ୩୦ ନିୟୁତ ଟନ୍‌ ।

କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲର ଦୁଇଟି ପ୍ରକଳ୍ପକୁ ମଂଜୁରୀ ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଜାପାନରୁ ଓଡ଼ିଶାକୁ ଆସିଛି ୨୬ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବ । ଗତକାଲି ଟୋକିଓରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଜନେସ୍‌ ମିଟରେ ଯୋଗ ଦେବା ସହ ୧୨ଟି ବଡ଼ବଡ଼ ଇଣ୍ଡଷ୍ଟ୍ରିର କ୍ୟାପଟେନଙ୍କ ସହ ୱାନ ଟୁ ୱାନ ଆଲୋଚନା କରିଥିଲେ । ଓଡ଼ିଶାରେ ପ୍ରଚୁର ସମ୍ବଳ ଓ ବିପୁଳ ସୁଯୋଗ ଅଛି । ଓଡ଼ିଶା ଆସ ଓ ନିବେଶ କର ବୋଲି ଜାପାନରେ ପୁଞ୍ଜିପତିଙ୍କୁ ଆହ୍ଵାନ କରିଥିଲେ ମୁଖ୍ୟମନ୍ତ୍ରୀ । ଅନେକ ପ୍ରତିଷ୍ଠିତ ଶିଳ୍ପ ସଂସ୍ଥା ଓଡ଼ିଶାରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଗ୍ରୀନ୍‌ ହାଇଡ୍ରୋଜନ, ଗ୍ରୀନ୍‌ ଆମୋନିଆ, ଗ୍ରୀନ୍‌ ଏନର୍ଜୀ ଇକ୍ୟୁପ୍‌ମେଣ୍ଟ ଉତ୍ପାଦନ, IT/ITeS, ଲଜିଷ୍ଟିକ୍‌, ଷ୍ଟିଲ ଏବଂ ମେଟାଲ ଡାଉନ୍‌ଷ୍ଟ୍ରିମ୍‌ କ୍ଷେତ୍ରରେ ନିବେଶ ପ୍ରସ୍ତାବ ଆସିଛି ।

Leave A Reply

Your email address will not be published.