ମହିଳାମାନଙ୍କୁ ରୋଜଗାରର ରାସ୍ତା ଦେଖାଇଛି “ନବଜୀବନ”, ଦୂର ହେଲା ସମସ୍ତଙ୍କ ଚିନ୍ତା

କଳିଙ୍ଗନଗର ଶିଳ୍ପାଞ୍ଚଳର ବିସ୍ଥାପିତ ପରିବାରର ମହିଳାମାନଙ୍କୁ ସଂଗଠିତ କରି ଏକ କୋ-ଅପରେଟିଭ୍ ସୋସାଇଟି ତିଆରି କରାଯାଇଛି । ଏଠାରେ ପଟ୍ଟଚିତ୍ର, ଫୁଲଦାନୀ, ଶାଢ଼ୀ, ଚାଦର, ବିଭିନ୍ନ ପ୍ରକାରର ପୋଷାକ, ଟସର ବସ୍ତ୍ର, ଟେବୁଲ୍ ଲ୍ୟାମ୍ପ, ଫଟୋ ଫ୍ରେମ, କାଇଁଚ ସାମଗ୍ରୀ ଓ ଝୋଟ ବ୍ୟାଗ୍ ଆଦି ଭଳିକି ଭଳି ମନଲୋଭା ସାମଗ୍ରୀ ତିଆରି କରିବା ସହ ଏହାକୁ ବଜାରରେ ବିକ୍ରି କରି ଅର୍ଥ ଉପାର୍ଜନ କରୁଛନ୍ତି ମହିଳା । ଏହି କୋ-ଅପରେଟିଭ୍ ସୋସାଇଟି ସ୍ଥାନୀୟ ଯୁବତୀ ଓ ମହିଳାମାନଙ୍କୁ ରୋଜଗାରର ରାସ୍ତା ଦେଖାଇଛି । ଏଠାରେ ନିୟୋଜିତ ହୋଇ ନିଜର ଉଜ୍ଜ୍ବଳ ଭବିଷ୍ୟତର ସ୍ୱପ୍ନ ଦେଖୁଛନ୍ତି ଅନେକ ଆଦିବାସୀ ଯୁବତୀ ଓ ମହିଳା ।

ଶିଳ୍ପାୟନ ପାଇଁ ବିସ୍ଥାପିତ ହୋଇଥିବା ଏହି ମହିଳାମାନେ ନିଜର ଭବିଷ୍ୟତ ପାଇଁ ଚିନ୍ତାରେ ଥିବାବେଳେ ସହାୟତାର ହାତ ବଢ଼ାଇଥିଲା ଟାଟା ଷ୍ଟିଲ ଫାଉଣ୍ଡେସନ । ଗରିବ ପରିବାରର ଯୁବତୀ ଓ ମହିଳାମାନଙ୍କୁ ସଂଗଠିତ କରି ପ୍ରତିଷ୍ଠା କରାଯାଇଥିଲା “ନବଜୀବନ” ନାମରେ ଏକ କୋ-ଅପରେଟିଭ୍ ସୋସାଇଟି । ଗତ ୨୦୧୨ ମସିହାରେ ଆରମ୍ଭ ହୋଇଥିଲା ଏହି ସୋସାଇଟି । ୨୦୦ ରୁ ଉର୍ଦ୍ଧ୍ବ ସଦସ୍ୟା ବିଶିଷ୍ଟ ଏହି ସୋସାଇଟିର ମହିଳାମାନେ ଆଜି ସେମାନଙ୍କର ପାରମ୍ପରିକ କଳା ଏବଂ ଚାରୁଶିଳ୍ପକୁ ନୂଆ ରୂପ ଦେଇଛନ୍ତି । ସେମାନଙ୍କ ଉତ୍ପାଦିତ ସାମଗ୍ରୀ ଯଥା ସାର୍ଟ, ଟି-ସାର୍ଟ, ଷ୍ଟଲ୍, ଦୁପଟ୍ଟା, ଶାଢ଼ୀ, ଚାଦର, ସମ୍ମିଳନୀ ଫାଇଲ୍ ଓ ଫୋଲ୍ଡର, ଫୁଲଦାନୀ, ପେନ୍ ଷ୍ଟାଣ୍ଡ, ଝୋଟ ବ୍ୟାଗ୍, ମୋବାଇଲ୍ କଭର ଓ ଷ୍ଟାଣ୍ଡ, କାନ୍ଥ ଘଣ୍ଟା, ଓ୍ବାଲ ହ୍ୟାଙ୍ଗିଙ୍ଗ୍ ସାମଗ୍ରୀ ଏବଂ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀରେ ହାତ ତିଆରି ଚିତ୍ରକଳା ଦେଖିବାକୁ ମିଳୁଛି । ଏଠାରେ କାର୍ଯ୍ୟ କରି ଆଜି ଦିନରେ ମହିଳାମାନେ ବହୁ ଉନ୍ନତି କଲେଣି । ବେଶ୍ ୨ ପଇସା ରୋଜଗାର କରି ନିଜକୁ ସ୍ବାବଲମ୍ବୀ କରିଛନ୍ତି ମହିଳାମାନେ ।

ବର୍ତ୍ତମାନ ୧୫୦ ରୁ ଉର୍ଦ୍ଧ ଯୁବତୀ ଓ ମହିଳା ବିଭିନ୍ନ ସିଫ୍ଟରେ ଏଠାକୁ ଆସି କାର୍ଯ୍ୟ କରୁଛନ୍ତି । କେବଳ ପଟ୍ଟଚିତ୍ର ବା ଚିତ୍ରକଳା ନୁହେଁ, ଟସର ସୁତାରୁ ବସ୍ତ୍ର ପ୍ରସ୍ତୁତି, ବିଭିନ୍ନ ରକମର ପୋଷାକ ତିଆରି, ଫଟୋ ଫ୍ରେମ ତିଆରି ଏବଂ ଗୋଲ୍ଡେନ ଗ୍ରାସ୍ ବା କାଇଁଚରୁ ବିଭିନ୍ନ କିସମର ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ଏସବୁ କ୍ଷେତ୍ରରେ ମହିଳାମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଅଭିଜ୍ଞ ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି । ତେବେ ମହିଳାଙ୍କ ଦ୍ବାରା ଉତ୍ପାଦିତ ସାମଗ୍ରୀ ମେଳା ମହୋତ୍ସବ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରଦର୍ଶନୀ ଓ ବଜାରରେ ବିକ୍ରି କରାଯାଉଛି । ଏହି ଆଦିବାସୀ ଯୁବତୀ ଓ ମହିଳାମାନେ ଏଠାରେ କାର୍ଯ୍ୟ କରି ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ଏଥିପାଇଁ ନିଜର ଖୁସି ବ୍ୟକ୍ତ କରିଛନ୍ତି କୋ-ଅପରେଟିଭ୍ ସୋସାଇଟିର ସମସ୍ତ ସଦସ୍ୟା । ଏହି ନବଜୀବନ କୋ-ଅପରେଟିଭ୍ ସୋସାଇଟି ମାଧ୍ୟମରେ ମହିଳାମାନେ ଟଙ୍କା ଉପାର୍ଜନ କରି ଆଜି ନିଜ ଦୈନନ୍ଦିନ ଜୀବନରେ ଆର୍ଥିକ ସ୍ୱଚ୍ଛଳତା ଆଣି ପାରିଛନ୍ତି ।

 

You might also like