କାଲି ବିଶ୍ୱ ଦେଖିବ ନୌବୀରଙ୍କ ବୀରତ୍ୱ, ପୁରୀ ବିଚ୍ରେ କୌଶଳ ଦେଖାଇବ ୧୫ ଯୁଦ୍ଧ ଜାହାଜ ଓ ୪୦ ଏୟାରକ୍ରାଫ୍ଟ
ପୁରୀ : ଦିନକ ପରେ ପୁରୀରେ ପାଳିତ ହେବ ନୌସେନା ଦିବସ । ନୌସେନା ଦିବସ ପାଇଁ ସଜେଇ ହୋଇଛି ପୁରୀ ବେଳାଭୂମି । ଏଥିରେ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପୁରୀ ବେଳାଭୂମି ଏବେ ଯୁଦ୍ଧଭୂମି ପାଲଟିଲା ଭଳି ଲାଗୁଛି। ଯୁଦ୍ଧପୋତର ଗର୍ଜନ ଶୁଭିବା ସହ କଳାକୌଶଳ ଦେଖାଉଛି ହେଲିକପ୍ଟର । ପ୍ରଥମ ଥର ପାଇଁ ଓଡ଼ିଶାରେ ଏତେ ବଡ଼ କାର୍ଯ୍ୟକ୍ରମ ହେଉଥିବାରୁ ଲୋକଙ୍କ ଭିତରେ ଉତ୍ସାହ ଢେର ଅଧିକ ।
ସେହିପରି ଆସନ୍ତାକାଲି ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଅପରାହ୍ନ ୪ଟାରୁ ଆରମ୍ଭ ହେବ ଭବ୍ୟ ସମାରୋହ । କାଲି ନୌସେନା ଦିବସରେ କୌଶଳ ଦେଖାଇବ ୧୫ ଯୁଦ୍ଧ ଜାହାଜ ଓ ୪୦ ଏୟାରକ୍ରାଫ୍ଟ । ଅନ୍ୟତ୍ର ମୁତୟନ ଥିବାରୁ ସାମିଲ ହେବନି ଏୟାରକ୍ରାଫ୍ଟ କ୍ୟାରିୟର । ପ୍ରାୟ ୨୦ଟି ସାମରିକ କଳା ପ୍ରଦର୍ଶିତ ହେବ। ଡ୍ରୋନ ଶୋ ମଧ୍ୟ ପ୍ରଦର୍ଶନ ହେବ । ଜନଗହଳି ସ୍ଥାନରେ ଲାଗିବ ଏଲଇଡି । ଭିଡକୁ ନିୟନ୍ତ୍ରଣ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ଗତକାଲି ବେଳାଭୂମିରେ ଶେଷ ଫୁଲ ଡ୍ରେସ ରିହରସଲ କରିଛି ନୌସେନା । ଯୁଦ୍ଧକଳା କୌଶଳ ଦେଖାଇଛି ଲଢ଼ୁଆ ବିମାନ ‘ହକ୍ ଜେଟ୍ ’ । ହେଲିକପ୍ଟରରେ ପ୍ରଦର୍ଶନୀ ସାଙ୍ଗକୁ ନୌସେନାର ଆକର୍ଷଣୀୟ ଡ୍ରିଲ ସମସ୍ତଙ୍କୁ ମୁଗ୍ ଧ କରିଥିଲା ।