ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା, ରାଜ୍ୟରେ ଖୋଲିବ ପ୍ରାକ ବିବାହ ପରାମର୍ଶ କେନ୍ଦ୍ର

ଭୁବନେଶ୍ୱର : ଆଜି ଲୋକସେବା ଭାବନ ଠାରେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ବିଜୟା ରାହତକର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ଆଲୋଚନା ସମୟରେ ବର୍ତ୍ତମାନ ପରିସ୍ଥିତିରେ ସମାଜରେ ଅଧିକ ମାତ୍ରାରେ ହେଉଥିବା ବିବାହ ବିଛେଦକୁ ରୋକିବା ଉଦ୍ଦେଶ୍ୟରେ ରାଜ୍ୟରେ ପ୍ରାକ ବିବାହ ପରାମର୍ଶ କେନ୍ଦ୍ର (Pre-Marital Counselling Centre) ଖୋଲାଯିବା ପାଇଁ ଅଧ୍ୟକ୍ଷା କହିଥିଲେ । ମୁଖ୍ୟମନ୍ତ୍ରୀ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ଏଥିରେ ସହମତି ପ୍ରଦାନ କରି କହିଥିଲେ । ପରାମର୍ଶ କେନ୍ଦ୍ର ମାଧ୍ୟମରେ ବିବାହ ପୂର୍ବରୁ ସାଂସାରିକ ଜୀବନ ସମ୍ବନ୍ଧରେ ଉପଯୁକ୍ତ ପରାମର୍ଶ ମିଳିଲେ ଏହି ହାର ନିଶ୍ଚୟ କମିବ ଏବଂ ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ ।
ଏଥି ସହିତ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଗ୍ରାମ ସଭା, ବାଲ୍ୟ ବିବାହ ଏବଂ ମହିଳା ହିଂସାକୁ ରୋକିବା, କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଉପରେ ହେଉଥିବା ଯୌନ ନିର୍ଯ୍ୟାତନା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା । ମହିଳା କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ସର୍ବବୃହତ ଯୋଜନା ସୁଭଦ୍ରା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଅବଗତ ହୋଇ ଅଧ୍ୟକ୍ଷା ଖୁସି ବ୍ୟକ୍ତ କରିଥିଲେ । ଏଥି ସହିତ ଓଡିଶାରେ ମହିଳା ଉଦ୍ୟୋଗୀ ଓ ମହିଳା ଚାଷୀଙ୍କ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ । ଏହି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।