ଦିଲ୍ଲୀ ଗସ୍ତ ପୂର୍ବରୁ ଭୁବନେଶ୍ୱର ଆସୁଛନ୍ତି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

କେନ୍ୟୁଜ୍(ବ୍ୟୁରୋ):  ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆସନ୍ତା ୨୪ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ। ଦିଲ୍ଲୀ ଗସ୍ତ ପୂର୍ବରୁ ଭୁବନେଶ୍ୱର ଆସୁଛନ୍ତି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଦ୍ରୌପଦୀ ମୁର୍ମୁଙ୍କୁ ଯୋଗାଇ ଦିଆଯାଇଛି ଜେଡ୍‌ପ୍ଲସ ସୁରକ୍ଷା। ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି। ଦାୟିତ୍ୱରେ ରହିଛନ୍ତି ୧୦ଜଣ NSG କମାଣ୍ଡର, ୧୫୦ଜଣ NSG ଓ ୫ଟି ବୁଲେଟ୍‌ ପ୍ରୁଫ୍‌ କାର। ଯଶିପୁର , କରଞ୍ଜିଆ ଓ ଠାକୁରମୁଣ୍ଡା ବାଟ ଦେଇ ଭୁବନେଶ୍ୱର ଆସିବେ ଦ୍ରୌପଦୀ ମୁର୍ମୁ। ପ୍ରଥମେ ଯଶିପୁର, ପରେ କରଞ୍ଜିଆ ଓ ଶେଷରେ ଠାକୁରମୁଣ୍ଡା ଠାରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯିବ।

ଭୁବନେଶ୍ୱରରେ ପହଞ୍ଚିବା ପରେ ବିଜେପି କାର୍ଯ୍ୟାଳୟରେ ତାଙ୍କୁ ସମ୍ବର୍ଦ୍ଧିତ କାରଯିବ। ସେଠାରୁ ଜେଡ୍‌ ପ୍ଲସ ସୁରକ୍ଷା ବଳୟ ଭିତରେ ଦ୍ରୌପଦୀ ମୁର୍ମୁ ଦିଲ୍ଲୀ ଗସ୍ତ କରିବେ। ଦ୍ରୌପଦୀ ମୁର୍ମୁଙ୍କ ନାଁ ଘୋଷଣା ପରେ ଆଜି ସକାଳୁ ରାଇରଙ୍ଗପୁରର ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ବେଢ଼ା ଓଳାଇବା ସହ ଭଗବାନଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। ଏହାପରେ ପ୍ରଜାପିତା ବ୍ରହ୍ମକୁମାରୀ ଆଶ୍ରମ ଯାଇ ଆଲୋଚନା କରିଥିଲେ।