ବାତ୍ୟା ତିତଲି ମୁକାବିଲା ନେଇ ଓଡ଼ିଶାକୁ ଏନ୍ଡିଏମଏର ପ୍ରଶଂସା

ଭୁବନେଶ୍ବର : ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶରେ ଅନେକ କ୍ଷୟକ୍ଷତି କଲା ବାତ୍ୟା ତିତ୍ଲି । ବହୁ ଧନ ଜୀବନ ହାନୀ ହେଲା । କିନ୍ତୁ ତିତ୍ଲି ଯେଉଁ ଭୟଂକର ରୂପ ନେଇଥିଲା ଆହୁରି ଅନେକ କ୍ଷୟକ୍ଷତି ହୋଇଥାନ୍ତା । ହେଲେ ରାଜ୍ୟ ସରକାରଙ୍କ ସଠିକ୍ ସମୟରେ ସଠିକ୍ ପଦକ୍ଷେପ ଯୋଗୁ ଅନେକ କ୍ଷୟକ୍ଷତିରୁ ବର୍ତ୍ତି ଯାଇଛି ଓଡ଼ିଶା । ତିତ୍ଲି କଣ କ୍ଷତି କରିଛି ତା ନୁହେଁ, ବରଂ ତିତ୍ଲି କଣ କ୍ଷତି କରିପାରିନି ତାକୁ ନେଇ ଚର୍ଚ୍ଚା ହେବା ଆବଶ୍ୟକ ବୋଲି କହିଛି ଏନଡିଏମ୍ଏ । ବାତ୍ୟା ମୁକାବିଲା ନେଇ ଓଡ଼ିଶାକୁ ପ୍ରଶଂସା କରିଛି ଏନଡିଏମ୍ଏ । ଓଡ଼ିଶା ସରକାରଙ୍କ ଜିରୋ କାଜୁଆଲିଟି ପ୍ରସ୍ତୁତିକୁ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ-ଏନଡିଏମ୍ଏ ଦ୍ୱାରା ଚଳିତ ମାସରେ ପ୍ରକାଶିତ ଡିଜିଟାଲ ପତ୍ରିକା ‘ଆପଦା ସମ୍ବାଦ’ରେ ପ୍ରଶଂସା କରାଯାଇଛି ।
ଏଥିରେ କୁହାଯାଇଛି, ତିତ୍ଲି ଜନିତ ମୃତ୍ୟୁ ସଂଖ୍ୟା ଦୁଇ ଅଙ୍କ ଡେଇଁ ପାରି ନାହିଁ । ସ୍ଥଳଭାଗ ଛୁଇଁବା ନେଇ ଆଇଏମଡିର ନିର୍ଦ୍ଦିଷ୍ଟ ପୂର୍ବାନୁମାନ ଏବଂ ନବୀନ ସରକାରଙ୍କ ମୁକାବିଲା ବଡ ଧରଣର କ୍ଷୟକ୍ଷତିକୁ ଅଟକାଇ ପାରିଛି । ତଳି ଅଞ୍ଚଳରୁ ଠିକ୍ ସମୟରେ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ନଥିଲେ ଆହୁରି ଅନେକ ଧନଜୀବନ ହାନୀ ହୋଇଥାନ୍ତା । ଏଥିସହ ବାତ୍ୟା ପରେ ତ୍ୱରିତ ପଦକ୍ଷେପ ଯୋଗୁ ପ୍ରଭାବିତ ଅଞ୍ଚଳ ଖୁବ ଶୀଘ୍ର ସ୍ୱାଭାବିକ ହୋଇପାରିଛି ବୋଲି ଏଥିରେ କୁହାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ରାଜ୍ୟ ପ୍ରଶାସନ ସଠିକ୍ ଢଙ୍ଗରେ ବାତ୍ୟାର ମୁକାବିଲା କରିଥିଲା ।