ମା’ ଝିଅ ସାମ୍ନାରେ ବାପାର ଜୀବନ ନେଲା, ପଦ୍ମପୁର ପୋଲିସ ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ 

ଗୁଣୁପୁର: ଏକାଠି ବସି ଖାଉଥିଲେ ପରିବାର । ଝିଅକୁ ବାପା ଖୁଆଇ ଦେଉଥାଏ । ଝିଅ ବି ହସି ହସି ବାପାକୁ କେତେ କଥା କହି ପକାଉଥାଏ । ହଠାତ ଘର ଭିତରକୁ ପଶି ଆସିଲା ପଡ଼ୋଶୀ । ସାଙ୍ଗରେ ପୁଅକୁ ବି ଧରି ଆସିଥାଏ । କିନ୍ତୁ ପରିବାର ଲୋକ ପଡ଼ୋଶୀକୁ ଦେଖି ଚମକି ପଡ଼ିଲେ । କାହିଁକି ନା ଘରକୁ ଅବାଧରେ ପଶି ଆସିଥିବା ପଡ଼ୋଶୀ ହାତରେ ଧରିଥିଲା ଟାଙ୍ଗିଆ । କେହି କିଛି ବୁଝିବା ପୂର୍ବରୁ ମା’ ଝିଅଙ୍କ ଆଖି ସାମ୍ନାରେ ବାପାକୁ ହତ୍ୟା କଲା ପଡ଼ୋଶୀ ।

ରାୟଗଡା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ସଉରା ବିକ୍ରମପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା  । ଗାଁର ପଣ୍ଡା ଶବର ନାମକ ଜଣେ ବ୍ୟକ୍ତି ନିଜ ପୋଡ଼ଶୀ ଚୈତନ୍ୟ ଶବରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି । ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଅଭିଯୁକ୍ତ ପଣ୍ଡା ଶବର ହତ୍ୟା କରିବା ପରେ ପଦ୍ମପୁର ଥାନାରେ ଆତ୍ମସମର୍ପଣ କରିଛି ।

ସୂଚନା ଅନୁଯାୟୀ ଚୈତନ୍ୟ ଶବର ଗତ କାଲି ସକାଳେ କୌଣସି କାମରେ ଡମ୍ବସରା ଯାଇ ମଧ୍ୟାହ୍ନ ସମୟରେ ଘରକୁ ଫେରି ନିଜ ପରିବାର ସହିତ ଖାଇବାକୁ ବସିଥିଲେ । ଏହି ସମୟରେ ପୋଡ଼ଶୀ ପଣ୍ଡା ଶବର ନିଜ ପୁଅକୁ ଧରି ଚୈତନ୍ୟ ଶବର ଘରେ ପହଞ୍ଚିଥିଲା । ଆଉ ହଠାତ ଚୈତନ୍ୟ ଶବରକୁ ଆକ୍ରମଣ କରି ଅତି ନିର୍ମମ ଭାବେ ହତ୍ୟା କରିଥିଲା ପଣ୍ଡା ଶବର । କିନ୍ତୁ ପଣ୍ଡା କେଉଁ କାରଣରୁ ଚୈତନ୍ୟଙ୍କ ହତ୍ୟା କଲା ତାହା ମୃତକଙ୍କ ସ୍ତ୍ରୀ ମାଲୁଣି ଶବର ଜାଣି ନଥିବା କହିଛନ୍ତି । ଏସମ୍ପର୍କରେ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରିବା ପରେ ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ଅନୁସନ୍ଧାନ ଜାରି ରଖିଛନ୍ତି । ତଦନ୍ତ ପରେ ହତ୍ୟାକାଣ୍ଡର ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ପୋଲିସ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ଗୁଣପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିବା ବେଳେ ପଦ୍ମପୁର ଥାନାରେ ଏକ ମାମଲା ରୁଜୁ କରି ପଣ୍ଡା ଶବରକୁ ଥାନାରେ ଅଟକ ରଖାଯାଇଛି । ଏନେଇ ପଦ୍ମପୁର ପୋଲିସ ଥାନା ଅଧିକାରୀ ଧରଣୀ ଧର ପ୍ରଧାନ ସୂଚନା ଦେଇଛନ୍ତି ।

ଝିଅ ସାମ୍ନାରେ ବାପାର ଜୀବନ ଚାଲିଗଲା । ବହୁ ଦୁଃଖ କଷ୍ଟରେ ପରିବାରକୁ ଚଳାଉଥିଲେ ଚୈତନ୍ୟ । କିନ୍ତୁ ଏବେ ଝିଅ ମୁଣ୍ଡରୁ ବାପାର ହାତ ଉଠିଗଲା। ଏବେ ପରିବାର କେମିତି ଚଳିବ ? ଏପଟେ ହତ୍ୟାକାରୀଙ୍କୁ କଠୋର ଶାସ୍ତି ଦେବା ପାଇଁ ମୃତକଙ୍କ ପରିବାର ଲୋକେ ଦାବି କରିଛନ୍ତି ।

Also Read:ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ