ବୃଦ୍ଧ ଦମ୍ପତିଙ୍କ ଘରକୁ ଜାଳିଦେଲେ ପଡ଼ୋଶୀ, ଜମି ବାଡ଼ି ବିବାଦକୁ ନେଇ ଘଟିଲା ଏମିତି
ଗୋପୀନାଥ ସେଠୀ ତାଙ୍କ ସ୍ତ୍ରୀ ଓ ପୁଅକୁ ନେଇ ଖୁସିରେ ଘରେ ରହୁଥିଲେ । କିନ୍ତୁ ସବୁ ଖୁସି କ୍ଷଣିକରେ ଶେଷ ହୋଇଗଲା ।
ମହାକାଳପଡ଼ା(କେନ୍ୟୁଜ୍): ବୟସର ଅପରାହ୍ନରେ କେଉଁଠି ରହିବେ ବୁଢ଼ା ବୁଢ଼ୀଙ୍କୁ ଚିନ୍ତା ଘାରିଛି । ଟାଇଁ ଟାଇଁ ଖରାରେ ନ୍ୟାୟ ପାଇଁ ଥାନାକୁ ଦୌଡ଼ି ଆସିଛନ୍ତି । ତେବେ ବୃଦ୍ଧ ଦମ୍ପତିଙ୍କ ଘରକୁ ତାଙ୍କ ପଡ଼ୋଶୀ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି । ନିଆଁରେ ଜଳିପୋଡ଼ି ପାଉଁଶ ହୋଇଯାଇଛି ବୁଢ଼ା ବୁଢ଼ୀଙ୍କ ଘର ।
କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ବଳିପାଳ ଗ୍ରାମରେ ଜମିବାଡ଼ି ବିବାଦକୁ ନେଇ ଗୋପୀନାଥ ସେଠୀଙ୍କ ଘରକୁ ପଡ଼ୋଶୀ ପୋଡ଼ି ଦେଇଛନ୍ତି । ଗୋପୀନାଥ ସେଠୀ ତାଙ୍କ ସ୍ତ୍ରୀ ଓ ପୁଅକୁ ନେଇ ଖୁସିରେ ଘରେ ରହୁଥିଲେ । କିନ୍ତୁ ସବୁ ଖୁସି କ୍ଷଣିକରେ ଶେଷ ହୋଇଗଲା । ହଠାତ ବିଳମ୍ବିତ ରାତିରେ ଗୋପୀନାଥଙ୍କ ଘରକୁ ଆସିଥିଲେ ତାଙ୍କ ପଡ଼ୋଶୀ । ଗାଳି ଗୁଲଜରୁ ଆରମ୍ଭ ହୋଇଥିଲା ବିବାଦ । ଦେଖୁ ଦେଖୁ ଘରେ ନିଆଁ ଲଗାଇ ଦେଲେ ଗୋପୀନାଥଙ୍କ ପଡ଼ୋଶୀ । ଘରଟି ସମ୍ପୂର୍ଣ୍ଣ ଭାବେ ଜଳି ଗଲା ପରେ ଏବେ ସେମାନେ କେଉଁଠି ରହିବେ ଚିନ୍ତା ଘାରିଛି ।
ସୂଚନା ଅନୁସାରେ ଗୋପୀନାଥଙ୍କ ପରିବାର ଏବଂ ତାଙ୍କ ପଡ଼ୋଶୀଙ୍କ ମଧ୍ୟରେ ଦୀର୍ଘଦିନ ହେବ ଜମିବାଡ଼ି ବିବାଦ ଲାଗି ରହିଥିଲା । ମାତ୍ର ଏହାର ସ୍ଥାୟୀ ସମାଧାନ ନ କରି ବୃଦ୍ଧ ଗୋପୀନାଥ ଓ ତାଙ୍କ ପତ୍ନୀ ତପୋଇ ସେଠୀଙ୍କ ଘରକୁ ଜାଳି ଦେଇଛନ୍ତି ତାଙ୍କ ପଡ଼ୋଶୀ । ବିଳମ୍ବିତ ରାତିରେ ଘରେ ପଶି ଗାଳି ଗୁଲଜ କରିବା ସହ ଗୋପୀନାଥଙ୍କ ୨ ବଖରା ଚାଳ ଛପର ଘରେ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି । ଏଭଳି ଘଟଣା ପରେ ଗୋପୀନାଥଙ୍କ ପତ୍ନୀ ମହାକାଳପଡ଼ା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଉଭୟ ପକ୍ଷରୁ ଅଭିଯୋଗ ଗ୍ରହଣ କରି ତଦନ୍ତ ଜାରି ରଖିଥିବା ଜଣା ପଡ଼ିଛି ।
ତଦନ୍ତ ପରେ କଣ ହେବ ତାହା ଜଣା ନାହିଁ । କିନ୍ତୁ ବୃଦ୍ଧ ଦମ୍ପତି ଏବେ କେଉଁଠି ରହିବେ ? ବହୁ କଷ୍ଟରେ ଘର ଖଣ୍ଡିଏ କରିଥିଲେ । କିନ୍ତୁ ଘରଟି ଜଳି ପୋଡ଼ି ପାଉଁଶ ହୋଇଗଲା ପରେ ଏବେ କୁଆଡ଼େ ଯିବେ ସେହି ଚିନ୍ତାରେ ଦୁହେଁ ଭାଙ୍ଗି ପଡ଼ିଛନ୍ତି । ତେବେ ଦେଖାଯାଉ ବୃଦ୍ଧ ଦମ୍ପତିଙ୍କୁ ନ୍ୟାୟ ମିଳୁଛି କି ନାହିଁ ।