ସ୍ଵାଭାବିକ ସ୍ଥିତି ପରେ କିଟକୁ ଫେରିଛନ୍ତି ନେପାଳ ଛାତ୍ରଛାତ୍ରୀ, ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

କିଟକୁ ଫେରିଛନ୍ତି ନେପାଳ ଛାତ୍ରଛାତ୍ରୀ । ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଓଡିଶା ଭିତରେ ରହିଯାଇଥିବା ଛାତ୍ରଛାତ୍ରୀଙ୍କୁ ସରକାରଙ୍କ ପକ୍ଷରୁ ଯୋଗାଯୋଗ କରାଯାଇଥିଲା । ଯେଉଁମାନେ ପାଖାପାଖି ରହିଯାଇଥିଲେ ସେମାନେ ପହଞ୍ଚିଛନ୍ତି । ସେମାନଙ୍କ ମଧ୍ୟରୁ କେତେଜଣ ଆସି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା କହିଛନ୍ତି ସୂର୍ଯ୍ୟବଂଶୀ ସୂରଜ । ନେପାଳ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରୀ ଓ ୨ଜଣ ପ୍ରତିନିଧିଙ୍କ ସହ ରାଜ୍ୟ ସରକାର ଆଲୋଚନା କରିଛନ୍ତି । ଆଲୋଚନାରେ ସେମାନେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଖୁବ ଶୀଘ୍ର ଶାନ୍ତି ଫେରିଆସିବ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ।
ସେହିପରି କିଟକୁ ଛାତ୍ରଛାତ୍ରୀଙ୍କୁ ଫେରିବାକୁ ବାର୍ତ୍ତା ଦେଲେ ନେପାଳ ରାଷ୍ଟ୍ରଦୂତ । କିଟରେ ଘଟିଥିବା ଘଟଣା ସମ୍ପର୍କରେ ପ୍ରତିକ୍ରିୟା ଦେଇ ଭାରତରେ ଅବସ୍ଥାପିତ ନେପାଳ ରାଷ୍ଟ୍ରଦୂତ ଶଙ୍କର ପ୍ରସାଦ ଶର୍ମା ଓଡ଼ିଶା ସରକାର ଓ କିଟ୍ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନରେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ବର୍ତ୍ତମାନ ପରିସ୍ଥିତି ଶାନ୍ତ ରହିଛି, ତେଣୁ ଛାତ୍ରଛାତ୍ରୀମାନେ ହଷ୍ଟେଲ୍ ଫେରିଆସିବା ପାଇଁ ସେ ଅନୁରୋଧ କରିଛନ୍ତି । ନେପାଳ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ୍ରେ ସମସ୍ତ ପ୍ରକାର ସୁରକ୍ଷା ଓ ନିରାପତ୍ତା ପ୍ରତି ଧ୍ୟାନ ଦିଆଯିବା ସହ ସେମାନଙ୍କ ବନ୍ଦ ଥିବା କ୍ଲାସ ଓ ପରୀକ୍ଷା ସ୍ୱତନ୍ତ୍ର ଭାବେ କରାଯିବ ବୋଲି କିଟ୍ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିବା ସେ ପ୍ରକାଶ କରିଛନ୍ତି ।
ଆହୁରି ପଢ଼ନ୍ତୁ : IAS ବିଷ୍ଣୁପଦଙ୍କ ଇସ୍ତଫା ! କି ନିଷ୍ପତ୍ତି ନେବେ ସରକାର ?