ସମ୍ପର୍କୀୟ ମାମୁଁକୁ ହତ୍ୟା କଲା ଭଣଜା, କାରଣ ଅସ୍ପଷ୍ଟ

ବାଂଶପାଳ: କେନ୍ଦୁଝର ନୟାକୋଟରେ ନୃଶଂସ ହତ୍ୟାକାଣ୍ଡ । ସମ୍ପର୍କୀୟ ମାମୁଁକୁ ଟାଙ୍ଗିଆରେ ହାଣି ହତ୍ୟା କଲା ଭଣଜା । ମୃତକ ହେଉଛନ୍ତି ପୋଡ଼ାଡ଼ିହି ଗାଁର ନିଧବ ମହାକୁଡ଼ । ହତ୍ୟାର କାରଣ ସ୍ପଷ୍ଟ ହୋଇଥିବା ବେଳେ ଅଭିଯୁକ୍ତ ଶିବ ପ୍ରଧାନ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି । ସୋମବାର ସନ୍ଧ୍ୟାରେ ଉଭୟ ମାମୁଁ ଭଣଜା ସାଙ୍ଗ ହୋଇ ରାଇଗୋଡ଼ା ହାଟକୁ ଯାଇଥିଲେ । ସେଠାରୁ ଫେରି ଗାଁର ଜଣକ ଘରକୁ ଭଭୟ ମଦ୍ୟପାନ ପାଇଁ ଯାଇଥିଲେ । କିନ୍ତୁ ସେହିଠାରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।

ଏଥିରେ ଉତକ୍ଷିପ୍ତ ହୋଇ ଏକ ମାରଣାସ୍ତ୍ରରେ ଶିବ ପ୍ରଧାନ ନିଧବ ମହାକୁଡ଼ଙ୍କୁ ଆକ୍ରମଣ କରିଥିଲେ । ଯାହାଫଳରେ ଘଟଣାସ୍ଥଳରେ ହିଁ ମାଧବ ମହାକୁଡଙ୍କର ମୃତ୍ୟୁ ଘଟିଥିଲା । ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଗାଁରେ ଏକ ମଦଭାଟି ଅଛି । ଯେଉଁଥିପାଇଁ ସବୁବେଳେ ଏଠାକୁ ଆସି ମଦ୍ୟପାନ କରିବା ସହ ନିଶାସକ୍ତ ରହୁଥିଲେ । ଆଉ ତାରି ଅନ୍ତ ଘଟିଛି ଏଭଳି ଅଭାବନୀୟ କାଣ୍ଡରେ । ହତ୍ୟା ଖବର ପାଇବା ପରେ ଘଟଣାସ୍ଥଳରେ ନୟାକୋଟ ପୋଲିସ ପହଞ୍ଚି ତଦନ୍ତ କରିଛି । କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ପୋଡ଼ାଡ଼ିହି ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ ।

ନିଶାରେ ହିତାହିତ ଜ୍ଞାନ ହରାଇ ବସି ବିଭିନ୍ନ ପ୍ରକାର ଅପରାଧ କରି ବସୁଛି ମଣିଷ । ତାରି ଇଏ ଏକ ବଡ଼ ଉଦାହରଣ । ଯଦି ନିଶା ସହ ରାଗ ମିଶି ଗଲା ତେବେ ଏଭଳି ଘଟଣା ଘଟିବ ହିଁ ଘଟିବ । ସମାନ ଭାବେ ଜଣେ ମଦ୍ୟପ ଭଣଜା ବି ଏମିତି କିଛି ଅପରାଧ କରିବସିଛି । କିନ୍ତୁ କେଉଁ କଥାରୁ ଉଭୟଙ୍କ ମଧ୍ୟରେ ବଚସା ହେଲା ଏବଂ ମାମୁଁଙ୍କୁ ଭଣଜା ମାରିଲା ତାହାର ପ୍ରକୃତ କାରଣ ଜଣାପଡିନାହିଁ ।

ତେବେ ସଠିକ ତଦନ୍ତ ପରେ ହିଁ ଏହି ଜଘନ୍ୟ ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହେବ । ଅନ୍ୟପଟେ ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ସମ୍ପର୍କ ସିନା ରକ୍ତର ହେଲେ ନିଜ ମାମୁଁର ରକ୍ତ ନିଗାଡ଼ିବା ପରେ ଏବେ ଫେରାର ଅଛି ଅଭିଯୁକ୍ତ ଭଣଜା । ପୋଲିସ୍ ତାକୁ ଧରିବା ପାଇଁ ଉଦ୍ୟମ ଚଳାଇଛି ।

Also read: ପ୍ରେମରେ ସାହିପାରିଲେନି ଧୋକା, ଶେଷରେ ଜୀବନ ହାରିଲେ ବ୍ୟକ୍ତି