ଖୁଡିର ଜୀବନ ନେଲା ସମ୍ପର୍କୀୟ ପୁତୁରା, ବେସାହାରା ହୋଇଗଲା କୁନି ଝିଅ

ରାଗ ପରମ ଚଣ୍ଡାଳ । ଯେତେବେଳେ ରାଗ ଆସେ ଅପରାଧ କରିବାକୁ ବି ପଛାଏ ନାହିଁ ମଣିଷ । ବର୍ତ୍ତମାନ ଅପରାଧର ସୀମା ବଢ଼ି ଚାଲିଛି । ଗାଁ ଠୁ ଆରମ୍ଭ କରି ସହର ସବୁଆଡ଼େ ବଢ଼ି ଚାଲିଛି ଅପରାଧ । ମଣିଷ ନିଜ ରାଗକୁ ସମ୍ଭାଳି ନପାରି ନିଜର ଲୋକଙ୍କୁ ବି ମାରି ଦେଉଛି । ଜୀବନ ନେବା ପାଇଁ ଏମାନଙ୍କ ହାତ ପଛଘୁଞ୍ଚା ଦେଉନି । ଏମିତି କହିବାର କାରଣ ହେଉଛି ଜଣେ ଯୁବକ ନିଜ ମା’ ସମାନ ଖୁଡ଼ିକୁ ହତ୍ୟା କରିଛି । ଖୁଡ଼ିକୁ ମାରିବା ପାଇଁ ଭୁଲି ଗଲା ସର୍ମ୍ପକ । କେଉଁ ରାଗ ଥିଲା କେଜାଣି ଛୋଟ ଝିଅ କଥା ବି ଭାବିଲାନି ।

୩ ବର୍ଷ ତଳେ ବାପାକୁ ହରାଇଥିଲା କୁନି ଝିଅ ଜ୍ୟୋତି । ଏବେ ମା’କୁ ସମ୍ପର୍କୀୟ ଭାଇ ମାରିଦେଲା । ବାପା ମା’ ଛେଉଣ୍ଡ ହେଇଗଲା ଜ୍ୟୋତି । ଦୁନିଆ କଣ ଭଲ ଭାବେ ଜାଣିବା ଆଗରୁ ଜ୍ୟୋତି ଠାରୁ ଦଇବ ସବୁ କିଛି ଛଡ଼ାଇନେଲା । ମା’ ବୋଲି କାହାକୁ ବା ଡାକିବ । ବାପା ତ ପରପାରିକୁ ଚାଲି ଯାଇଥିଲା । ଏବେ ମା ବି ଚାଲିଗଲା । ଗଂଜାମ ଜିଲ୍ଲା ଧରାକୋଟ ଥାନା ନିକଟ ବରଡାବିଲି ଗାଁରେ ଘଟିଯାଇଛି ଏମିତି ଅଭାବନୀୟ ଘଟଣା ।  ସମ୍ପର୍କୀୟ ପୁତୁରା ଆକ୍ରମଣରେ ଖୁଡିର ଜୀବନ ଯାଇଛି । ମୃତ ମହିଳାଙ୍କ ନାଁ ହେଉଛି  ସସ୍ମିତା ସାହୁ । ସସ୍ମିତା ସିଲେଇ କରି ନିଜ ପରିବାର ଚଳାଉଥିବା ବେଳେ ଏବେ ତାଙ୍କ ଝିଅ ସମ୍ପୂର୍ଣ୍ଣ ବେସାହାରା ହୋଇ ପଡ଼ିଛି ।

ସୂଚନା ମୁତାବକ ଆଜି ଦିନ ୨ ଟା ସମୟରେ ପୁତୁରା ବଳରାମ ସାହୁ ହଠାତ ନିଜ ଖୁଡ଼ି ସସ୍ମିତାଙ୍କ ଘରର ଗ୍ରୀଲକୁ ବାଡ଼େଇଥିଲା । ବଳରାମର ଏଭଳି ଆଚରଣ ଦେଖି ଭୟରେ କଣ କରିବେ କଣ ନାହିଁ କିଛି ବୁଝି ପାରିଲେନି ସସ୍ମିତା । ତେବେ ପ୍ରାଣ ବିକଳରେ ପାଖ ଘରେ ରହୁଥିବା ନିଜ ଶାଶୁଙ୍କ ପାଖରେ ସସ୍ମିତା ପହଞ୍ଚିଥିଲେ ।  କିନ୍ତୁ ଶାଶୁ ବି ବଳରାମକୁ ରୋକି ପାରିଲେନି । ଆଉ ବଳରାମ ଉତକ୍ଷିପ୍ତ ଅବସ୍ଥାରେ ନିଜ ଖୁଡ଼ିର ଜୀବନ ନେଇଗଲା । ତଳେ ପଡି ଛଟପଟ ହେଉଥିଲେ ସସ୍ମିତା । ତେବେ ସସ୍ମିତାଙ୍କ ଅବସ୍ଥା ଦେଖି କିଛି ଲୋକ ପୋଲିସକୁ ଖବର ଦେଇଥିଲେ । କିନ୍ତୁ ସେତେବେଳକୁ ସସ୍ମିତାଙ୍କ ଦେହରେ ଜୀବନ ନଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମତଦେହକୁ ଉଦ୍ଧାର କରି ଆସିକା ମେଡିକାଲକୁ ପଠାଇଥିଲା ।

ସସ୍ମିତା ନିଜ ସ୍ବାମୀଙ୍କୁ ହରାଇବା ପରେ ନିଜ ଦଶ ବର୍ଷର ଝିଅକୁ ନେଇ ବହୁ କଷ୍ଟରେ ଚଳୁଥିଲେ । ଝିଅ ପୂର୍ବରୁ ବାପାକୁ ହରାଇଥିବା ବେଳେ ବର୍ତ୍ତମାନ ମା’କୁ ହରାଇ ସମ୍ପୂର୍ଣ୍ଣ ବେସାହାରା ହୋଇପଡ଼ିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ହତ୍ୟାକାରୀ ପୁତୁରାକୁ ଅଟକ ରଖିଛି । ଅନ୍ୟପଟେ ହତ୍ୟାକାଣ୍ଡର ପ୍ରକୃତ ରହସ୍ୟ ଜଣା ପଡ଼ିନାହିଁ । ଏବେ କେବଳ ଚିନ୍ତା କୁନି ଝିଅ ଜ୍ୟୋତି ପାଇଁ । କଣ ହେବ ତାର ଭବିଷ୍ୟତ ? ଏବେ ତା ମଥାରୁ ଉଠିଯାଇଛି ବାପା ମା’ଙ୍କ ହାତ । କିଏ ଦେବ ତାକୁ ସାହାରା ? ଏପଟେ ଦୋଷୀକୁ ଉପଯୁକ୍ତ ଦଣ୍ଡ ମିଳୁ ତାହା ହିଁ ସାଧାରଣରେ ଦାବି ହୋଇଛି । ନଚେତ ଏଭଳି ଅପରାଧ ଦିନକୁ ଦିନ ବଢ଼ି ଚାଲିଥିବ ଆଉ ସମାଜରେ ଏମିତି ଘଟଣା ସବୁ ଘଟି ଚାଲିଥିବ ।

 

You might also like