ମେଡିକାଲ ସମ୍ମୁଖରେ ହୋହାଲ୍ଲା, ଚିକିତ୍ସା ଅବହେଳାରୁ ନବଜାତର ମୃତ୍ୟୁ ହୋଇଥିବା ଅଭିଯୋଗ

ଅନୁଗୁଳ: ମୋ ଛୁଆ ସକାଳେ ଠିକ୍‌ ଥିଲା । ସନ୍ଧ୍ୟାବେଳେ ଡାକ୍ତର କହୁଛନ୍ତି ମୋ ଛୁଆ ମରି ଯାଇଛି । ମୋ ଛୁଆ ଏସଏନସିୟୁରେ ୧୬ ନମ୍ବର ବେଡ୍‌ରେ ଥିଲା, ତାକୁ ୧୨ ନମ୍ବର ବେଡ୍‌କୁ ଆଣିଛନ୍ତି । ଏହି ବିଷୟରେ ଆମକୁ ଜଣାଇନାହାନ୍ତି । ମୋ ଛୁଆର ମୁଣ୍ଡ ଚେପଟା ନଥିଲା । ଯେଉଁ ଛୁଆ ମରିଯାଇଛି, ତାର ମୁଣ୍ଡ ଚେପଟା ଅଛି । ଏ ଛୁଆ ଆମର ନୁହେଁ । ଏ ଥିଲା ଗୋଟିଏ ବାପାର କୋହଭରା କଣ୍ଠର କଥା ।

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏମ୍‌ ସିଏଚ୍ ବିଲଡିଂ ସାମ୍ନାରେ ନବଜାତର ମୃତ୍ୟୁକୁ ନେଇ ଦେଖିବାକୁ ମିଳିଛି ଚାପା ଉତ୍ତେଜନା । ପରିବାର ଲୋକେ ଆଣିଥିଲେ ଏପରି ସାଂଘାତିକ ଅଭିଯୋଗ । ଖାଲି ଅଭିଯୋଗ ଆଣି ନଥିଲେ ଚିକିତ୍ସାଳୟ ସମ୍ମୁଖରେ ପାଟିତୁଣ୍ଡ ହୋହାଲ୍ଲା କରିଥିଲେ। ସେଠାରେ ଦୀର୍ଘ ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା I

ଅନୁଗୁଳ କଣିହାଁ ବ୍ଲକ ରେଙ୍ଗାଳି ଅଞ୍ଚଳର ବାପୁ ଗୋଛାୟତଙ୍କ ଗତ ୨୭ ତାରିଖରେ କଣିହାଁ ଡାକ୍ତରଖାନାରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ନବଜାତକର ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ପରିବାର ଲୋକେ ୨୮ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ଶିଶୁପୁତ୍ରକୁ ଏସ୍ଏନ୍‌ସିୟୁରେ ରଖି ଚିକିତ୍ସା କରାଯାଉଥିଲା। ତେବେ ଗତକାଲି ବିଳମ୍ବିତ ରାତିରେ ମେଡିକାଲ୍ କର୍ତ୍ତୃପକ୍ଷ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା କହିଥିଲେ । ଏହା ଶୁଣି ପରିବାର ଲୋକେ ଚିକିତ୍ସା ଅବହେଳା ଯୋଗୁଁ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଥିଲେ ।

ଏସ୍ଏନ୍‌ସିୟୁରେ ବେଡ଼ ନଂ-୧୬ରେ ତାଙ୍କ ପୁଅର ଚିକିତ୍ସା ଚାଲିଥିଲା। ମୃତ୍ୟୁବେଳକୁ ୧୨ ନଂ ବେଡରେ ଥିଲା ପୁଅ । ଶିଶୁପୁତ୍ରକୁ ୧୬ ନମ୍ବର ବେଡ୍‌ରୁ ୧୨ ନମ୍ବର ବେଡ୍‌କୁ କାହିଁକି ଅଣାଗଲା ? ଯଦି ଅଣାଗଲା ପରିବାର ଲୋକକୁ କାହିଁକି ସୂଚନା ଦିଆଗଲାନାହିଁ ପ୍ରଶ୍ନ ପ୍ରଶ୍ନ କରିଥିଲେ ପରିବାର ଲୋକ ? ଅପରପକ୍ଷରେ ଶିଶୁ ପୁତ୍ରର ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସୁ ନଥିବାରୁ ପରିବାର ଲୋକ ଆଜି କଟକ ନେବାକୁ ପ୍ରସ୍ତୁତ ହେଉଥିଲେ । ଯଦି ଶିଶୁ ପୁତ୍ରର ଅବସ୍ଥା ଏତେ ସଙ୍କଟାପନ୍ନ ଥିଲା, କାହିଁକି ପୂର୍ବରୁ ନଜଣାଇ ମୃତ୍ୟୁ ହେଲା ପରେ କୁହାଗଲା ବୋଲି ପ୍ରଶ୍ନ କରିଥିଲେ ? ଏମ୍‌ ସିଏଚ୍ ବିଲଡିଂ ସାମ୍ନାରେ ଉତ୍ୟକ୍ତ ପରିବାର ଲୋକ ପାଟିତୁଣ୍ଡ କରିଥିଲେ । ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ନେଇ ଅସନ୍ତୋଷ ଝାଡିଥିଲେ ।

ଖବର ପାଇ ପୁଲିସ୍ ମେଡିକାଲ୍‌ରେ ପହଞ୍ଚିଥିଲା। ପୋଲିସ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଏ ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏନେଇ ମେଡିକାଲ କର୍ତ୍ତୃପକ୍ଷ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like