ଝାରସୁଗୁଡ଼ା: ଜନ୍ମ ହେଉ ହେଉ ଆଖି ବୁଝିଲା ନବଜାତକ, ଡାକ୍ତରଙ୍କ ଚିକିତ୍ସା ଅବହେଳା ନେଇ ଅଭିଯୋଗ ଆଣିଲେ ପରିବାର ଲୋକ

ଝାରସୁଗୁଡ଼ା: ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ନବଜାତକର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ । ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଗତକାଲି ଲଖନପୁର ବ୍ଲକ୍‌ର ଜଣେ ମହିଳା ପ୍ରସବ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମୟରେ ମହିଳା ଅସହ୍ୟ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତୁରନ୍ତ ଡ୍ୟୁଟିରେ ଥିବା ଡାକ୍ତର ଓ ନର୍ସଙ୍କୁ ଜଣାଇଥିଲେ । ହେଲେ ମାଆ ପେଟରେ ପିଲାଟି ସୁସ୍ଥ ଥିବା କହିଥିଲେ ଚିକିତ୍ସା କରୁଥିବା ଡାକ୍ତର । କିନ୍ତୁ ପ୍ରସବ ପରେ ମହିଳା ଜଣଙ୍କ ଏକ ମୃତ ଶିଶୁକୁ ଜନ୍ମ ଦେଇଥିବା ଜଣାପଡିଥିଲା ।

new born

ତେବେ ଡାକ୍ତର ଓ ନର୍ସଙ୍କ ଅବହେଳା କାରଣରୁ ହିଁ ଶିଶୁଟି ପ୍ରାଣ ହରାଇଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ସେପଟେ ଘଟଣା ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଜଣାଇବାରୁ ଘଟଣାର ଖୁବ ଶୀଘ୍ର ତଦନ୍ତ କରାଯିବା ନେଇ ସେ ପ୍ରତିଶୃତି ଦେଇଛନ୍ତି । କାର୍ଯ୍ୟରେ ଅବହେଳା ଥିଲେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଖୁବ ଶୀଘ୍ର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.