ଯାଜପୁର: କେମିତି ନିଆଁରେ ପୋଡି ହୋଇଗଲେ ଇତିଶ୍ରୀ ? ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଯାଜପୁର(କେନ୍ୟୁଜ): ନିଆଁରେ ପୋଡି ହୋଇ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ଯୈାତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ମହିଳାଙ୍କ ପରିବାରଲୋକେ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା କୁଆଖିଆ ଥାନା କଲଣ ଗ୍ରାମରେ । ସୂଚନା ମୁତାବକ ପାଖାପାଖି ୨ବର୍ଷ ହେବ କଲଣ ଗ୍ରାମର ଗଜେନ୍ଦ୍ର ସାହୁଙ୍କ ପୁଅ ରମାକାନ୍ତ ସାହୁଙ୍କ ସହ ବିଂଝାରପୁର ଥାନା ନାଉପାଳ ଗ୍ରାମର ରସାନନ୍ଦ ସାହୁଙ୍କ ଝିଅ ଇତିଶ୍ରୀଙ୍କ ବୈଦିକ ରୀତିରେ ବିବାହ ହୋଇଥିଲା । ବିବାହ ସମୟରେ କନ୍ୟା ପକ୍ଷରୁ ଦାବି ମୁତାବକ ଯୈାତୁକ ଦିଆଯାଇଥିଲା । ତେବେ ଶାଶୁ ଘର ଲୋକେ ଅଧିକ ଯୈାତୁକ ଦାବି କରି ଇତିଶ୍ରୀଙ୍କୁ ବିଭିନ୍ନ ସମୟରେ ନିର୍ଯାତନା ଦେଇ ଆସୁଥିଲେ । ତେବେ ଗତକାଲି ଇତିଶ୍ରୀ ଘରର ଉପର ମହଲାରେ ନିଆଁରେ ପୋଡି ହୋଇ ଚିତ୍କାର କରିବାରୁ ତାଙ୍କୁ ଗୁରତର ଅବସ୍ଥାରେ ପ୍ରଥମେ ଧର୍ମଶାଳା ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଇତିଶ୍ରୀଙ୍କ ଶରୀରର ବହୁ ଭାଗ ପୋଡି ଯାଇଥିବାରୁ ଆଜି ସେଠାରେ ତାଙ୍କର ମୃତ୍ୟୁ ଘଟିଛି ।

jajpur

ଶାଶୁଘର ଲୋକେ ଇତିଶ୍ରୀଙ୍କ ଉପରେ କିରାସିନ ଢାଳି ନିଆଁ ଲଗାଇ ତାଙ୍କୁ ହତ୍ୟା କରିଥିବା ପରିବାର ଲୋକେ କୁଆଖିଆ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ କୁଆଖିଆ ପୋଲିସ ଏକ ମାମଲା ରୁଜୁ କରି ମୃତ ଇତିଶ୍ରୀଙ୍କ ଶ୍ୱଶୁର ଗଜେନ୍ଦ୍ର ଓ ସ୍ୱାମୀ ରମାକାନ୍ତଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ଏଠାରେ ସୂଚନା ଯୋଗ୍ୟ ଯେ, ମୃତା ଇତିଶ୍ରୀଙ୍କର ୩ମାସର ଏକ କନ୍ୟା ସନ୍ତାନ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.