ପିଲାଙ୍କ ଜୀବନ ସହ ଖେଳ, ଭଙ୍ଗା ଦଦରା କୋଠା ଉପରେ ନିର୍ମାଣ ହେଉଛି ନୂଆ ଶ୍ରେଣୀ ଗୃହ

କେନ୍ଦ୍ରାପଡା: ଭଙ୍ଗା ଦଦରା କୋଠା ଉପରେ ନିର୍ମାଣ ହେଉଛି ନୂତନ ଶ୍ରେଣୀ ଗୃହ । ପିଲାଙ୍କ ଜୀବନ ସହ ବ୍ଲକ ପ୍ରଶାସନ ଖେଳ ଖେଳୁଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ମଲ୍ଲି ସାହାଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦେଖାଯାଇଛି ବିଷମ ପରିସ୍ଥିତି । ପ୍ରତ୍ୟେକ ଦିନ ପିଲାମାନେ ଏଠାକୁ ପାଠ ପଢ଼ିବାକୁ ଆସୁଛନ୍ତି । ତେବେ କୋଠା ଉପରେ ନିର୍ମାଣ କରାଯାଉଥିବା ଶ୍ରେଣୀଗୃହ କାମ ଶେଷ ହେଲେ ପିଲାମାନେ ସେଠାରେ ପାଠ ପଢ଼ିବେ । କିନ୍ତୁ ତଳ ମହଲା ଅତି ଦୟନୀୟ ଅବସ୍ଥାରେ ରହିଛି । ଏପରିସ୍ଥଳେ କୋଠା ଉପରେ ନିର୍ମାଣ ହେଉଥିବା ଶ୍ରେଣୀଗୃହ ପିଲାଙ୍କ କେତେ ଯେ ବଡ଼ ବିପଦ ଆଣିବ ତା ନକହିବା ଭଲ ।
କେତେ ବେଳେ ଯେ, କଣ ଅଘଟଣ ଘଟିବ ତାହା କହିବା ମୁସ୍କିଲ । ଆଉ ଏଭଳି ବିପଦ ସଂକୁଳ କୋଠା ଉପରେ ନିର୍ମାଣ ହେଉଛି ନୂତନ ଶ୍ରେଣୀ ଗୃହ । ଏହି ସ୍କୁଲର ନୂତନ ଶ୍ରେଣୀ ଗୃହ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ୫ଲକ୍ଷ ଟଙ୍କା ଅନୁଦାନ ଆସିଥିଲା । ହେଲେ ଏହି ଅର୍ଥକୁ ସଠିକ ଭାବେ ବିନିଯୋଗ ନକରି ଏକ ପୁରୁଣା ଶେଣୀ ଗୃହ ଉପରେ ନୂଆ ଶ୍ରେଣୀ ଗୃହ ନିର୍ମାଣ କରାଯାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ କିଛି ବି ସୁଫଳ ମିଳୁନାହିଁ । ଅନ୍ୟପଟେ ରାଜକନିକା ବିଡିଓ କହିଛନ୍ତି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ବିପର୍ଯ୍ୟସ୍ତ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ ଦାବି ହେଉଛି । କିନ୍ତୁ ଦୀର୍ଘ ବର୍ଷ ବିତି ଯାଇଥିଲେ ବି ସୁଧୁରୁ ନାହିଁ ସ୍ଥିତି । ପିଲାମାନଙ୍କ ପାଇଁ ଅନ୍ୟତ୍ର ଶ୍ରେଣୀ ଗୃହ କରାଯାଉ ନଚେତ ପିଲାମାନଙ୍କ ଭବିଷ୍ୟତ ଯେ କଣ ହେବ କହିହେବନି । ତେଣୁ ଏ ସମସ୍ୟା ପ୍ରତି ଧ୍ୟାନ ଦିଆଯାଇ ତୁରନ୍ତ ସମାଧାନ କରାଯାଉ ତାହା ହିଁ ସାଧାରଣରେ ଦାବି ହୋଇଛି ।
Also Read: ବିପର୍ଯ୍ୟସ୍ତ ଅବସ୍ଥାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା, ବାରଣ୍ଡାରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ