ଓଡ଼ିଶାର ୪ ରେଳ ପ୍ରକଳ୍ପକୁ ମଞ୍ଜୁରୀ, ରେଳ ମନ୍ତ୍ରୀ ଅଶ୍ବିନୀଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଓଡ଼ିଶାର ୪ ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ଆଲୋଚନା କରିବେ । ଲୋକସେବା ଭବନରୁ ଭିଡିଓ କନଫେରନସିଂରେ କଥା ହେବେ ମୁଖ୍ୟମନ୍ତ୍ରୀ । ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ୪ଟି ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରାଯାଇଛି। ଗୁଣପୁର- ଥେରୁବାଲି ୭୩.୬୨ କିମି ନୂଆ ରେଳ ଲାଇନକୁ ମଞ୍ଜୁରୀ ମିଳିଛି। କଳାହାଣ୍ଡି ଓ ନବରଙ୍ଗପୁର ଦେଇ ଜୁନାଗଡ଼- ନବରଙ୍ଗପୁର ୧୧୬.୨୧ କିମି ରେଳ ପଥ ଓ କେନ୍ଦୁଝର ମୟୂରଭଞ୍ଜ ଦେଇ ବାଦାମପାହାଡ଼-କେନ୍ଦୁଝରଗଡ଼ ୮୨.୦୬ କିମି ରେଳପଥକୁ ଅନୁମୋଦନ କରାଯାଇଛି।
ସେହିପରି ବାଙ୍ଗିରିପୋଷି- ଗୋରୁମହିଷାଣି ମଧ୍ୟରେ ୮୫.୬୦ କିମି ରେଳପଥ ମଧ୍ୟ ଅନୁମୋଦନ ଲାଭ କରିଛି। ମାଲକାନଗିରି – ପାଣ୍ଡୁରଙ୍ଗାପୁରମ ଭାୟା ଭଦ୍ରାଚଳମ ୧୭୩. ୬୧ କିମି ରେଳପଥ ମାଲକାନଗିରି, ପୂର୍ବଗୋଦାବରୀ ଓ ଭଦ୍ରାଦ୍ରୀ କୋଥାଗୁଡ଼େମ ଦେଇ ଅତିକ୍ରମ କରିବ। ଏହା ଉପରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରେଳମନ୍ତ୍ରୀଙ୍କ ସହ ଆଲୋଚନା କରିବେ ।
ଏହି ନୂଆ ରେଳ ଲାଇନର ଉଦ୍ଦେଶ୍ୟ ହେଉଛି ଭାରତୀୟ ରେଳବାଇ ପାଇଁ ଯୋଗାଯୋଗ ଏବଂ ବିକାଶ। ପ୍ରଧାନମନ୍ତ୍ରୀ ମୋଦୀଙ୍କ “ନୂଆ ଭାରତ” ପରିକଳ୍ପନା ସହିତ ଯୋଡ଼ି ହେବା ଏବଂ ବ୍ୟାପକ ଆଞ୍ଚଳିକ ବିକାଶ ମାଧ୍ୟମରେ ଆତ୍ମନିର୍ଭର ଭାରତକୁ ପ୍ରୋତ୍ସାହିତ କରିବା । ଏହି ପ୍ରକଳ୍ପଗୁଡ଼ିକ ଅଞ୍ଚଳରେ ରୋଜଗାର ଓ ସ୍ୱରୋଜଗାର ସୁଯୋଗ ସୃଷ୍ଟି କରିବ।
ଓଡ଼ିଶା, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, ବିହାର, ତେଲେଙ୍ଗାନା ଓ ପଶ୍ଚିମବଙ୍ଗର ୧୪ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରି ଏହି ପ୍ରକଳ୍ପଗୁଡ଼ିକ ଭାରତୀୟ ରେଳ ନେଟୱାର୍କକୁ ୯୦୦ କିଲୋମିଟର ପର୍ଯ୍ୟନ୍ତ ବିସ୍ତାର କରିବ। ସମୁଦାୟ ୬୪ଟି ନୂଆ ଷ୍ଟେସନ ନିର୍ମାଣ କରାଯିବ, ଯାହା ୬ଟି ଆକାଂକ୍ଷୀ ଜିଲ୍ଲା, ୫୧୦ଟି ଗାଁ ଏବଂ ପ୍ରାୟ ୪୦ ଲକ୍ଷ ଜନସଂଖ୍ୟା ପାଇଁ ଯୋଗାଯୋଗ ବୃଦ୍ଧି କରିବ । ୨୦୩୦-୨୦୩୧ ସୁଦ୍ଧା ଶେଷ ହେବାକୁ ଥିବା ଏହି ନୂତନ ଲାଇନ୍ ପ୍ରକଳ୍ପଗୁଡ଼ିକ ନିର୍ମାଣ କାଳରେ ପ୍ରାୟ ୩ କୋଟି ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିବ।