ମୃତ ସରକାରୀ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ଆଶ୍ବସ୍ତି, ପୁନର୍ବାସ ଥଇଥାନ ନୀତିରେ ଆସିଲା ନୂଆ ନିୟମ

ଭୁବନେଶ୍ୱର : ଓଡିଶା ସିଭିଲ ସର୍ଭିସ (ଥଇଥାନ ସହାୟତା) ନିୟମରେ ସଂଶୋଧନ ଆଣିଛନ୍ତି ରାଜ୍ୟ ସରକାର ।  ଏହି ସଂଶୋଧିତ ନିୟମ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାରଙ୍କର ଐତିହାସିକ ପଦକ୍ଷେପ ବୋଲି କହିଛନ୍ତି ଆଡଭୋକେଟ ଜେନେରାଲ ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ । ରାଜ୍ୟରେ ଓଡିଶା ସିଭିଲ ସର୍ଭିସ (ଥଇଥାନ ସହାୟତା) ଆଇନ ୧୯୯୦ ପ୍ରଚଳିତ ରହିଥିଲା । ୨୦୨୦ ରେ ଏ ସମ୍ପର୍କୀତ ନୂତନ ସଂଶୋଧନ ନୀତି ପ୍ରଣୟନ କରିଥିଲେ ତତ୍କାଳୀନ ରାଜ୍ୟ ସରକାର । ୧୯୯୦ ନିୟମ ଅନୁଯାୟୀ କୌଣସି ସରକାରୀ କର୍ମଚାରୀଙ୍କର ଅକାଳ ବିୟୋଗ ହେଲେ ସେମାନଙ୍କ ପରିବାର ବର୍ଗରୁ ଜଣଙ୍କୁ ଥଇଥାନ ଯୋଜନାରେ ଚାକିରି ଦେବାବେଳେ ମୃତକ କର୍ମଚାରୀଙ୍କର ମୃତ୍ୟୁ ତାରିଖକୁ ଵିଚାରକୁ ନିଆଯାଇଥାଏ ।

କିନ୍ତୁ ୨୦୨୦ ସଂଶୋଧନ ନିୟମ ଅନୁଯାୟୀ ଥଇଥାନ ଚାକିରି ପାଇଁ ଆବେଦନ ତାରିଖକୁ ବିଚାରକୁ ନିଆଯିବାର ନିୟମ ରହିଥିଲା ।  ଯାହାକୁ ନେଇ କୋର୍ଟ କଚେରୀରେ ଶହ ଶହ ସଂଖ୍ୟାରେ ମାମଲା ହେଉଥିଲା ।  ଶହ ଶହ ମୃତକ କର୍ମଚାରୀଙ୍କ ପରିବାର ବର୍ଷ ବର୍ଷ ଧରି ଅପେକ୍ଷାରେ ଥିବା ବେଳେ ଦୁଃଖକଷ୍ଟରେ କାଳାତିପାତ କରୁଥିଲେ । ଆଜି ବିଜ୍ଞପ୍ତି ପ୍ରକାଶ ପାଇଥିବା ଓଡିଶା ସିଭିଲ ସର୍ଭିସ (ଥଇଥାନ ସହାୟତା) ସଂଶୋଧନ ନିୟମ ୨୦୨୫ ଅନୁସାରେ ମୃତକ କର୍ମଚାରୀଙ୍କ ମୃତ୍ୟୁ ତାରିଖକୁ ଅଗ୍ରାଧିକାର ଦିଆଯିବ ।  ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ସୁପ୍ରିମକୋର୍ଟରେ ପଡ଼ି ରହିଥିବା ପାଖାପାଖି ୫୦୦ ଏସଏଲପି ମାମଲାରେ ପୂର୍ଣ୍ଣଛେଦ ଦେବା ସହିତ ମୃତକ ସରକାରୀ କର୍ମଚାରୀଙ୍କ ଦୁସ୍ଥ ପରିବାର ପାଇଁ ସାନ୍ତ୍ୱନା ଆଣିଦେଇଛି ବୋଲି ଆଡଭୋକେଟ ଜେନେରାଲ ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ କହିଛନ୍ତି ।

 

 

ଆହୁରି ପଢ଼ନ୍ତୁ :   କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଓଡିଶା ପାଇଁ ୨ଟି ରେଳ ପ୍ରକଳ୍ପ ମଞ୍ଜୁର, ବିନିଯୋଗ ହେବ ୫,୧୦୪ କୋଟି ଟଙ୍କା