ବନ ବିଭାଗର ଅଭିନବ ଉପାୟ, ଜଙ୍ଗଲ ନିଆଁ ରୋକିବ ଭର୍ମି କମ୍ପୋଷ୍ଟ ୟୁନିଟ

କଣ୍ଟାମାଳ: ଜଙ୍ଗଲ ନିଆଁରେ ଲାଗିବ ବ୍ରେକ । ଆଉ ବିଲ ନିଆଁ ଯାଇ ପୋଡିବନି ଜଙ୍ଗଲ । କାରଣ ଜଙ୍ଗଲ ନିଆଁକୁ ରୋକିବାକୁ ବନ ବିଭାଗ ଆପଣେଇଛି ଏକ ଭିନ୍ନ ଉପାୟ । ବିଲରେ ଲାଗିଥିବା ନିଆଁରେ ପୋଡିଯାଉଛି ଜଙ୍ଗଲ । ନଷ୍ଟ ହୋଇଯାଉଛି ବହୁ ମୁଲ୍ୟବାନ ଗଛ ଲତା । କେବଳ ସେତିକି ନୁହେଁ ଜଙ୍ଗଲରେ ନିଆଁ ଲାଗିବାରୁ ଉତ୍ତାପ ମଧ୍ୟ ବଢୁଛି । ହେଲେ ଏବେ ଆଉ ଜଙ୍ଗଲରେ ନିଆଁ ଲାଗିପାରିବନି । ଏହା ସହ ଏହି ଉପାୟରେ ଗାଁ ଗହଳିରେ ଥିବା ମହିଳା ମଧ୍ୟ ଆତ୍ମନିର୍ଭରଶୀଳ ହେବେ । ତେବେ କଣ ଏହି ଉପାୟ ଏବଂ କିଭଳି ଗାଁ ମହିଳାଙ୍କୁ ରୋଜଗାରକ୍ଷମ କରିବା ସହ ଜଙ୍ଗଲ ପୋଡିକୁ ରୋକାଯାଇ ପାରିବ ଆସନ୍ତୁ ଜାଣିବା….
ତିଆରି ହୋଇଛି ଭର୍ମି କମ୍ପୋଷ୍ଟ ୟୁନିଟ । ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏହି ୟୁନିଟରେ ପରିଶ୍ରମ କରି ପ୍ରସ୍ତୁତ କରୁଛନ୍ତି ଜିଆ ଖତ । ଆଉ ଏହି ଜିଆ ଖତ ପ୍ରସ୍ତୁତ ପରେ ତାକୁ କିଣି ନେଉଛି ବନ ବିଭାଗ । ଦିନେ ରୋଜଗାର ଅଭାବରୁ ଘରେ ବସି ରହିଥିବା ମହିଳାଙ୍କୁ ରୋଜଗାରର ଭଲ ମାଧ୍ୟମ ଦେଖାଇଛି ଏହି ଭର୍ମି କମ୍ପୋଷ୍ଟ ୟୁନିଟ । ଏହି ଦୃଶ୍ୟ ହେଉଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ କଲରାଝୁଲି ଗାଁର । ଗାଁରେ ହୋଇଥିବା ଭର୍ମି କମ୍ପୋଷ୍ଟ ୟୁନିଟରେ ଗାଁର ୫ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀର ୫୦ ଜଣ ମହିଳା ଏବେ ଏହି ୟୁନିଟରେ କାମ କରୁଛନ୍ତି । ପ୍ରତି ୧୫ଦିନରେ ଏମାନଙ୍କ ପରିଶ୍ରମରେ ପ୍ରସ୍ତୁତ ହେଉଛି ଜିଆଖତ । ଆଉ ସେହି ଖତକୁ ବିକ୍ରୀ ହେଲାପରେ ଏମାନେ ଭଲ ଦୁଇ ପଇସା ଉପାର୍ଜନ କରିବା ସହ ପରିବାର ଚଳେଇ ପାରୁଛନ୍ତି । ଏବେ ଏମାନଙ୍କୁ ଏହି ୟୁନିଟ ଉପାର୍ଜନର ମାଧ୍ୟମ ପାଲଟିଥିବା ବେଳେ ଏମାନଙ୍କ ମୁହଁରେ ଫୁଟାଇ ପାରିଛି ହସ ।
ବୌଦ୍ଧ ଜିଲ୍ଲା ବନ ବିଭାଗ ପକ୍ଷରୁ କଲରାଝୁଲି ଗାଁରେ ଖୋଳାଯାଇଥିବା ଏହି ଭର୍ମି କମ୍ପୋଷ୍ଟ ୟୁନିଟ ଯେ, କେବଳ ମହିଳାଙ୍କୁ ଆତ୍ମ ନିର୍ଭରଶୀଳ କରିଛି ତା ନୁହେଁ । ଏହା ପଛରେ ରହିଛି ଏକ ଭିନ୍ନ ଉଦ୍ଦେଶ୍ୟ । ଜମିରୁ ଧାନ କାଟି ସାରିବା ପରେ ବିଲରେ ନିଆଁ ଲଗାଇ ଦେଉଛନ୍ତି ଲୋକେ । ସେହି ନିଆଁ ଯାଇ ଜଙ୍ଗଲରେ ଲାଗୁଛି । ଫଳରେ ଜଙ୍ଗଲ ପୋଡ଼ିବା ସହ ନଷ୍ଟ ହୋଇଯାଉଛି ବହୁ ମୁଲ୍ୟବାନ ଗଛ । ଏଣୁ ଏହାକୁ ରୋକିବାକୁ ଏବେ ଭିନ୍ନ ଉପାୟ ଆପଣେଇଛି ବନ ବିଭାଗ । ବିଲରେ ପଡିଥିବା ପାଳକୁ ସଂଗ୍ରହ କରି ସେଥିରେ ଏବେ ମହିଳାମାନେ ପ୍ରସ୍ତୁତ କରୁଛନ୍ତି ଜିଆଖତ । ଆଉ ସେମାନଙ୍କଦ୍ୱାରା ପ୍ରସ୍ତୁତ ଜିଆ ଖତକୁ ଉଚିତ ମୁଲ୍ୟରେ କ୍ରୟ କରିନେଉଛି ବନ ବିଭାଗ । ଯାହା ଫଳରେ ବିଲରେ ପଡିଥିବା ପାଳରେ ନିଆଁ ଲାଗି ଜଙ୍ଗଲ ପୋଡିବା ମଧ୍ୟ କମିଲା ଏବଂ ଅପର ପକ୍ଷରେ ଗାଁ ଗହଳିର ମହିଳାମାନେ ମଧ୍ୟ ଉପାର୍ଜନର ମାଧ୍ୟମ ପାଇଲେ । ବୌଦ୍ଧ ଜିଲ୍ଲାରେ କେବଳ ଏହି ଗୋଟିଏ ୟୁନିଟ ନୁହେଁ । ଜିଲ୍ଲାର ୧୦୬ ଗୋଟି ଭିଏସ୍ଏସ୍ରେ ୧୦୬ ଗୋଟି ଭର୍ମି କମ୍ପୋଷ୍ଟ ୟୁନିଟ ଖୋଳାଯାଇଛି । ଯାହାଦ୍ୱାରା ଜଙ୍ଗଲ ପୋଡିକୁ ରୋକାଯାଇ ପାରିବ ବୋଲି ଡିଏଫଓ କହିଛନ୍ତି ।
Also Read:ପ୍ରେମିକକୁ ଅପହରଣ କଲା ପ୍ରେମିକା, ଅଭିଯୁକ୍ତଙ୍କ ଠାରୁ ୨ ଟି କାର ଓ ୪ଟି ମୋବାଇଲ ଜବତ