ଜଗା ଦର୍ଶନ ପାଇଁ ନୂଆ ଏସଓପି: ଜାଣନ୍ତୁ ଆସନ୍ତାକାଲି ସହିତ କାର୍ତ୍ତିକ ମାସରେ କେଉଁ କେଉଁ ଦିନ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ(କେନ୍ଯୁଜ୍): ଜଗା ଦର୍ଶନ ପାଇଁ ନୂଆ ଏସଓପି। ପାର୍ବଣ ପାଇଁ ପୁରୀ ଶ୍ରୀମନ୍ଦିରରେ ଦର୍ଶନ ପାଇଁ ଆସନ୍ତାକାଲି ଠାରୁ ଲାଗୁ ହେବ ନୂଆ ଏସଓପି। ଆସନ୍ତାକାଲି ଦଶହରାକୁ ଦୃଷ୍ଟିରେ ରଖି ଭକ୍ତଙ୍କ ଭିଡ଼ ଏଡ଼ାଇବାକୁ ବନ୍ଦ ରହିବ ଦର୍ଶନ। ତେବେ କୁମାର ପୂର୍ଣ୍ଣିମାରେ କିନ୍ତୁ ଦର୍ଶନ ପାଇଁ ମନ୍ଦିର ଖୋଲା ରହିବ।

ପୂର୍ବଭଳି ମନ୍ଦିର ବିଶୋଧନ ପାଇଁ ପ୍ରତି ରବିବାର ବନ୍ଦ ରହିବ ଦର୍ଶନ। ନଭେମ୍ବର ମାସରେ ଦୀପାବଳି ପାଇଁ ୪ତାରିଖରେ, ବଡ଼ ଏକାଦଶୀ ପାଇଁ ୧୫ ତାରିଖରେ ଓ କାର୍ତ୍ତିକ ପୂର୍ଣ୍ଣିମାରେ ୧୯ତାରିଖରେ ମନ୍ଦିର ବନ୍ଦ ରହିବ। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ପୂର୍ବ କୋଭିଡ ଗାଇଡଲାଇନ ବଳବତ୍ତର ରହିବ।

ଅନ୍ଯପଟେ ପୁରୀରେ ଗୋସାଣୀ ଯାତ୍ରା ପାଇଁ ଜାରି ହେଲା କଟକଣା। କୋଭିଡକୁ ଦୃଷ୍ଟିରେ ରଖି ଆସନ୍ତା ୧୬ରେ ସିଂହଦ୍ଵାର ସମ୍ମୁଖରେ ଗୋସାଣୀ ଯାତ୍ରାରେ ସର୍ବସାଧାରଣଙ୍କ ଦର୍ଶନ ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ମେଢ ଦେଖିବା ପାଇଁ ଦର୍ଶନାର୍ଥୀମାନଙ୍କ ଭିଡ ହେବା ସହ ସାମାଜିକ ଦୂରତା ନିୟମ ଉଲଂଘନ ଆଶଙ୍କା ଥିବାରୁ ଏଭଳି କଟକଣା ଜାରି କରାଯାଇଛି।ସେ ଦିନ ମଧ୍ୟାହ୍ନ ୧୨ରୁ ଗୋସାଣୀ ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ଏବଂ ସିଂହଦ୍ଵାରଠାରୁ ମର୍ଚ୍ଚିକୋଟ ଛକ ପର୍ଯ୍ୟନ୍ତ ସର୍ବସାଧରଣଙ୍କ ଯାତାୟତ ଉପରେ ଲାଗିବ କଟକଣା। ସେ ସମୟ ମଧ୍ୟରେ ଅତ୍ୟାବଶ୍ୟକୀୟ ସେବା ଉପରେ କୌଣସି କଟକଣା ରହିବ ନାହିଁ।

ସୂଚନା ଥାଉକି ଚଳିତ ବର୍ଷ ପାର୍ବଣରେ ଭିଡ଼ ରୋକିବା ପାଇଁ ଟ୍ବିନ୍  ସିଟିରେ ମଧ୍ଯ କଡ଼ା ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯାଇଛି। କରୋନା କଟକଣା ଭିତରେ ଚାଲିଥିଲା ପୂଜାର୍ଚ୍ଚନା। ପୂଜାକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିବା ପାଇଁ ଗତ ଦୁଇ ଦିନ ହେବ କଟକ, ଭୁବନେଶ୍ୱରରେ ରାତି ଆଠଟାରୁ ଲାଗୁ ହେଇଛି ନାଇଟ କର୍ଫ୍ୟୁ । ରାତି ୮ଟାରୁ ସକାଳ ୫ଟା ଯାଏ ଜାରି ରହିବ ନାଇଟ କର୍ଫ୍ୟୁ। କଟକରେ ମୁତୟନ ହେଇଛନ୍ତି ୩୨ ପ୍ଲାଟୁନ ଫୋର୍ସ ।

Leave A Reply

Your email address will not be published.