ଋଷୀୟ ପର୍ଯ୍ୟଟକ ଆଣ୍ଟୋଭଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ: ପୁଟିନଙ୍କ ସମାଲୋଚକଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଉଠିଲା ପ୍ରଶ୍ନ

(କେନ୍ୟୁଜ): ରୁଷରୁ ରାୟଗଡ଼ା…ଏହା ଭିତରେ ବଡ଼ ରହସ୍ୟ। ପୁଟିନଙ୍କ ସମାଲୋଚକ ଆଣ୍ଟୋଭଙ୍କ ମୃତ୍ୟୁ ହେଲା କେମିତି। ଦୁର୍ଘଟଣା ନା ଆତ୍ମହତ୍ୟା ନା ଷଡ଼ଯନ୍ତ୍ର। ଏନେଇ ପୋଲିସର ଖୋଳତାଡ ଚାଲିଛି। ବିଶ୍ୱର ଅନେକ ସ୍ଥାନରେ ପୁଟିନ ସମୋଲୋଚକମାନଙ୍କର ରହସ୍ୟଜନକ ଭାବେ ମୃତ୍ୟୁ ହେବାର ନଜର ରହିଛି। ପାଭେଲ ଆଣ୍ଟୋଭଙ୍କ କ୍ଷେତ୍ରରେ ସେପରି କିଛି ହୋଇଛି କି? ରୁଷ ବିରୋଧୀ ଦେଶଗୁଡିକର ଗୁଇନ୍ଦା ସଂସ୍ଥାଗୁଡିକ ପାଇଁ ସନ୍ଦେହ ସୃଷ୍ଟି କରିଛି।

ସୂଚନା ଅନୁସାରେ ରୁଷର ସବୁଠାରୁ ଧନୀ ସାଂସଦ, ପାଭେଲ ଜେନରିଖୋବିଚ୍‌ ଆଣ୍ଟୋଭ। ରାଷ୍ଟ୍ରପତି ପୁଟିନଙ୍କ ୟୁନାଇଟେଡ୍‌ ରୁଷିଆ ପାର୍ଟିର ସାଂସଦ। କିନ୍ତୁ ୟୁକ୍ରେନ ଯୁଦ୍ଧ ପାଇଁ ପାଲଟି ଯାଇଥିଲେ ପୁଟିନଙ୍କ ସମାଲୋଚକ। ଏବେ ସେହି ସମାଲୋଚକଙ୍କ ମୁହଁ ସବୁ ଦିନ ପାଇଁ ବନ୍ଦ। ଦେଶ ବିଦେଶର ମିଡିଆ ଆଣ୍ଟୋଭଙ୍କ ମୃତ୍ୟୁକୁ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି।

ତେବେ ୨୪ ତାରିଖ ସଂଧ୍ୟାର ରାୟଗଡ଼ାର ସାଇ ଇଣ୍ଟରନ୍ୟାସନାଲ ହୋଟେଲ ବାହାରେ ଆହତ ଅବସ୍ଥାରେ ମିଳିଥିଲେ ଆଣ୍ଟୋଭ। ହସ୍ପିଟାଲ ନେବା ବାଟରେ ମୃତ୍ୟୁ ହେଲା ହୋଇଥିବା କୁହାଯାଉଛି। ହୋଟେଲ ଉପରୁ ପଡିଯାଇଥିଲେ ଆଣ୍ଟୋଭ। ପ୍ରଶ୍ନ ଉଠୁଛି ତଳେ ପଡିବା ସମୟରେ କିଏ ଦେଖିଥିଲେ କି? ଦୁର୍ଘଟଣାବଶତଃ ଖସି ପଡିଥିଲେ ନା ଆତ୍ମହତ୍ୟା କରିଥିଲେ ? ନା ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି? ଏବେଇ ଏମିତି ଅନେକ ପ୍ରଶ୍ନ ଉଠୁଛି ।

ସୂଚନାଯୋଗ୍ୟ ଡିସେମ୍ବର ୨୧ରେ ପାଭେଲ ଆଣ୍ଟୋଭ, ଭ୍ଲାଦିମିର ବିଦେନୋଭ, ତୁରୁଭୋ ଓ ପାନ୍‌ସେଙ୍କୋ ରାୟଗଡ଼ା ଆସି ହୋଟଲେ ରହିଥିଲେ। ଦୁଇ ବନ୍ଧୁ ଆଣ୍ଟୋଭ ଓ ବିଦେନୋଭ ପ୍ରଥମ ମହଲାର ରୁମ ନମ୍ବର ୨୦୩ରେ ରହିଥିଲେ। ପତି-ପତ୍ନୀ ତୁରୁଭୋ ଓ ପାନ୍‌ସେଙ୍କୋ ରହୁଥିଲେ ଦ୍ୱିତୀୟ ମହଲା ରୁମ ନମ୍ବର ୩୦୫ରେ। ଡିସେମ୍ବର ୨୨ରେ ବିଦେନୋଭଙ୍କର ରୁମ୍‌ ନମ୍ବର ୨୦୩ରେ ମୃତ୍ୟୁ ହେବା କାରଣ କୁହାଯାଉଛି ହୃଦ୍‌ଘାତ। ଦି ଦିନ ପରେ ୨୪ ତାରିଖରେ ଆଣ୍ଟୋଭଙ୍କ ମୃତ୍ୟୁ ହେଲା। ୧୩୦୦ କୋଟି ଟଙ୍କାର ମାଲିକ ଆଣ୍ଟୋଭ, ଫାଇଭ ଓ ସେଭନ୍‌ ଷ୍ଟାର ହୋଟଲରେ ରହିବା ବ୍ୟକ୍ତି। ରାୟଗଡ଼ାରେ କାହିଁକି ଏକ ମଧ୍ୟମଧରଣ ହୋଟେଲରେ ରହିଲେ? କାହାଠାରୁ ଲୁଚି ରହିବାକୁ ଚାହୁଁଥିଲେ କି? ଆଣ୍ଟୋଭଙ୍କୁ କିଏ ସିକ୍ରେଟ୍‌ ଏଜେଣ୍ଟ ପିଛା କରୁଥଲା କି? ମୃତ୍ୟୁ ଦିନ ବାହାରୁ ହୋଟେଲକୁ ଆଉ କେଉଁମାନେ ଆସିଥିଲେ? ୨୨ ତାରିଖରେ ବିଦେନୋଭଙ୍କ ମୃତ୍ୟୁ ପରେ କଣ ହୋଇଥିଲା? ପୋଲିସ ଆଣ୍ଟୋଭଙ୍କୁ ପଚରାଉ ଉଚରା କରିଥିଲା କି?

ଅନ୍ୟପଟେ କିଛି ଗଣମାଧ୍ୟମରେ ଖବର ଆସିଛି ଯେ ତୃତୀୟ ମହଲା ଝରକା ପଟୁ ଖସି ପଡିଲେ ଆଣ୍ଟୋଭ। ଆଉ କିଏ କହୁଛି ଛାତରୁ ଖସି ପଡିଲେ? କିନ୍ତୁ ହୋଟଲରେ ରୁମ୍‌ର ଝରକାରେ ଗ୍ରୀଲ ଲାଗିଛି। ଝରକାପଟୁ ଖସିବା ସମ୍ଭାବନା କମ୍‌? ଯଦି ଛାତରୁ ଖସିଛନ୍ତି, ତେବେ ସେ ଛାତକୁ ଗଲେ କାହିଁକି? ରହସ୍ୟରେ ଆଣ୍ଟୋଭଙ୍କ ମୃତ୍ୟୁ। ବିଶ୍ୱ ବଭିନ୍ନ ସ୍ଥାନରେ ପୁଟିନ ସମାଲୋଚକମାନଙ୍କର ରହସ୍ୟ ଜନକ ମୃତ୍ୟୁ ହୋଇଥିବା ନଜିର ରହିଛି। ସେହି କ୍ରମରେ କ୍ରେମଲିନ ଆକ୍ରୋଶର ଶିକାର ହେଲେ କି ଆଣ୍ଟୋଭ? ମୃତ୍ୟୁର ରହସ୍ୟ ଖୋଲିବ ନା ସବୁ ଦିନ ପାଇଁ ଲୁଚି ଯିବ, ଆଗାମୀ ଦିନରେ ଜଣା ପଡିବ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.