ଆସିଛି ନୂଆବର୍ଷ, ପ୍ରଥମ ସୂର୍ଯ୍ୟୋଦୟକୁ ମନଭରି ଉପଭୋଗ କରିଛନ୍ତି ଲୋକ
ଭୁବନେଶ୍ୱର : ଆସିଛି ନୂଆ ବର୍ଷ ୨୦୨୫ । ଆଣିଛି ନୂଆ ଆଶା ଓ ନୂଆ ଉତ୍ସାହ । ନୂଆବର୍ଷର ପ୍ରଥମ ସୂର୍ଯ୍ୟୋଦୟକୁ ମନଭରି ଉପଭୋଗ କରିଛନ୍ତି ଲୋକ । ସମସ୍ତଙ୍କ ମନରେ ଗୋଟିଏ ଭାବନା ଯେ, ନବ ବର୍ଷ ସମସ୍ତଙ୍କ ପାଇଁ ସୁଖମୟ ହେଉ । କେହି କେହି ଶ୍ରଦ୍ଧାଳୁ ଦୀପ ଜାଳି ମହାପ୍ରଭୁ ସୂର୍ଯ୍ୟନାରାୟଣଙ୍କୁ ବନ୍ଦନା କରୁଛନ୍ତି । କେହି କେହି ଶ୍ରଦ୍ଧାଳୁ ମହାପ୍ରଭୁ ସୂର୍ଯ୍ୟ ନାରାୟଣ ଙ୍କୁ ନମସ୍କାର କରି ପରିବାରର ମଙ୍ଗଳ କାମନା କରୁଛନ୍ତି ।
ଦେଶର ବିଭିନ୍ନ ସ୍ଥାନରେ ନୂଆବର୍ଷର ପ୍ରଥମ ସୂର୍ଯ୍ୟୋଦୟର ଦୃଶ୍ୟକୁ କ୍ୟାମେରାରେ ତୋଳି ଧରିଛନ୍ତି । ବେଶ ମନୋଜ୍ଞ ଆଉ ମନୋରମ ଦୃଶ୍ୟ । ଲୋକଙ୍କ ଭିତରେ ଭରିଛି ପୁଲକ । ସିନ୍ଦୁରା ଫିଟିବା ପୂର୍ବରୁ ଚଳଚଞ୍ଚଳ ହୋଇଛି ଚାରିଆଡ଼ । ସୂର୍ଯ୍ୟଙ୍କ ଲୋହିତ କିରଣରେ ଚାରିଆଡ଼ ଚିକଚିକ କରୁଛି । ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରି ଲୋକମାନେ ମଙ୍ଗଳ କାମନା କରିଛନ୍ତି ।
ଅନ୍ୟପଟେ ନୂଆବର୍ଷକୁ ସ୍ଵାଗତ କରିବା ପୂର୍ବରୁ ଆରମ୍ଭ ହୋଇଥିଲା ଜିରୋ ନାଇଟ ସେଲିବ୍ରେସନ । ଖାସ କରି ଟୁଇନସିଟି ଭୁବନେଶ୍ଵର ଏବଂ କଟକରେ ଜମିଛି ସେଲିବ୍ରେସନର ଆସର । ନାଚ, ଗୀତ ସାଙ୍ଗକୁ ବାଜା ବଜାଇ ବାଣ ଫୁଟାଇ ୨୦୨୫କୁ ସ୍ଵାଗତ କରାଯାଇଛି । ଚଳିତ ଥର ନୂଆବର୍ଷ ସେଲିବ୍ରେସନ କରିବାକୁ ସମସ୍ତେ ଅପେକ୍ଷାରେ ରହିଥିଲେ । ରାଜଧାନୀ ଭୁବନେଶ୍ଵରର ବିଭିନ୍ନ ହୋଟେଲ ହେଉ କି ଖୋଲା ପଡ଼ିଆରେ ସବୁଠି ଦେଖିବାକୁ ମିଳିଛି ସେଲିବ୍ରେସନ । ଅନେକ ସ୍ଥାନରେ ଜଣାଶୁଣା କଳାକାର ଓଡ଼ିଶାବାସୀଙ୍କ ମନୋରଞ୍ଜନ କରିଥିଲେl । କିଏ ଟିକେଟ କିଣି ଜିରୋ ନାଇଟ ସେଲିବ୍ରେସନ ପାଇଁ ପହଞ୍ଚିଛି ତ କିଏ ସାଙ୍ଗସାଥୀଙ୍କୁ ସାଙ୍ଗରେ ଧରି ନିଜ ମନପସନ୍ଦର ଜାଗାରେ ନୂଆବର୍ଷର ସ୍ଵାଗତ କରୁଛନ୍ତି ।