ନୂଆ ବର୍ଷର ନୂଆ ସକାଳ, କାହିଁକି ଉନ୍ମାଦନା ଆଣେ ?

ଭୁବନେଶ୍ୱର (କେ ନ୍ୟୁଜ୍‌) : ୨୦୧୯ ଜାନୁଆରୀ ୧ ତାରିଖ ସକାଳର ଦୃଶ୍ୟ କିନ୍ତୁ ଥିଲା ପୂରା ନିଆରା । ଆଉ ସେ ଉଦଣ୍ଡ ନୃତ୍ୟ ନଥିଲା କି ଡିଜେର କିଳାକିଳା ରଡ଼ି । ଶାନ୍ତ, ସ୍ନିଗଧ ଟିକେ କୁହୁଡ଼ିଆ ପରିବେଶ ମନକୁ ଆନନ୍ଦ ଦେଉଥିଲା । ଶ୍ରୀକ୍ଷେତ୍ର ପୁରୀରେ ଥିଲେ ସବୁଠାରୁ ଅଧିକ ଲୋକ । କାରଣ ଦୁଇଟି ଶ୍ରୀଜଗନ୍ନାଥଙ୍କ ଶ୍ରୀମୁଖ ଦେଖି ନୂଆ ବର୍ଷ ଆରମ୍ଭ କରିବେ ଓ ମହୋଦଧି ବେଳାଭୂମିରେ ବୁଲି ନୂଆ ବର୍ଷର ପ୍ରଥମ ସୂର୍ଯ୍ୟ ଉଦୟ ଦେଖିବେ । ହେଲେ କୁହୁଡ଼ି ଯୋଗୁଁ ପୁରୀରେ ସୂର୍ଯ୍ୟ ଦର୍ଶନ ଟିକେ ବିଳମ୍ବ ହୋଇଥିଲା । ତେବେ ଗତକାଲି ରାତିରୁ ସିଂହଦ୍ୱାର ପାଖରେ ଭକ୍ତଙ୍କ ଭିଡ଼ ଲାଗିଥିଲା । ଦ୍ୱାର ଫିଟା ହେବା ପରେ ସମସ୍ତେ ଉତ୍ସୁକ ଥିଲେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ ପାଇଁ । ଶୃଙ୍ଖଳାରେ ଦର୍ଶନ କରିଥିଲେ । ନିଜ ପରିବାରର ମଙ୍ଗଳ ମନାସି ଥିଲେ ବର୍ଷଟି କେମିତି ଭଲରେ ଯାଏ ।

JAGANNATHA

ସବୁ ମନ୍ଦିର ଓ ପିକ୍‌ନିକ୍‌ ସ୍ପଟ୍‌ରେ ଭିଡ଼

ସେପଟେ କୋଣାର୍କ ନିକଟବର୍ତ୍ତୀ ଚନ୍ଦ୍ରଭାଗାରେ ମଧ୍ୟ ପ୍ରବଳ ଭିଡ଼ ଥିଲା । ଚନ୍ଦ୍ରଭାଗାରେ ସୂର୍ଯ୍ୟୋଦୟର ଦୃଶ୍ୟ ବେଶ୍‌ ମନଲୋଭା । ଏଠାରେ ସୂର୍ଯ୍ୟ ସମୁଦ୍ର ଭିତରୁ ଧୀରେ ଧୀରେ ଉଠି ଆସିଲା ଭଳି ଲାଗନ୍ତି । ତେଣୁ ଏହି ଦୃଶ୍ୟ ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଏବଂ ବିଦେଶରୁ ପର୍ଯ୍ୟଟକ ଛୁଟି ଆସିଥିଲେ । ସୂର୍ଯ୍ୟ ଉଦୟ ପରେ ସମସ୍ତେ ଯୋଡ଼ହସ୍ତରେ ପ୍ରଣାମ କରିଥିଲେ । ଚନ୍ଦ୍ରଭାଗାରୁ କୋଣାର୍କ ସୂର୍ଯ୍ୟ ମନ୍ଦିର ଦର୍ଶନ କରିବା ସହ ପାଖରେ ଥିବା ନବଗ୍ରହ ମନ୍ଦିରରେ ଅନେକ ପୂଜାର୍ଚ୍ଚନା କରିଥିଲେ ବର୍ଷଟି ଯେମିତି ଭଲରେ କଟିବ ।

KONARK
 

ସେହିଭଳି ଆଜି ରାଜ୍ୟର ସବୁ ମନ୍ଦିରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । କୌଣସି ପିକ୍‌ନିକ୍‌ ସ୍ପଟ୍‌ରେ ତ ସୋରିଷ ପକାଇବାକୁ ଜାଗା ନାହିଁ । କିଏ ବୁଲିବାକୁ ଆସିଛନ୍ତି ତ ଆଉ କିଏ ହାଣ୍ଡିହଣ୍ଡା ସାଙ୍ଗରେ ଧରି ରୋଷେଇବାସରେ ଲାଗିଛନ୍ତି । ତେବେ ସବୁ ଭିତରେ ଗୋଟିଏ ଜିନିଷ ସବୁଠୁ ଅଧିକ ରହିଛି ସବୁ ଜାଗା ଭଳି । ତାହା ହେଉଛି ସେଲଫି ନେବାର ମୋହ । ଆଉ ଗୋଟିଏ କଥା ହେଉଛି, ଆଜି ହାଡ଼ଭଙ୍ଗା ଶୀତରୁ ଟିକେ ତ୍ରାହି ମିଳିଛି । ଯାହା ଉତ୍ସାହକୁ ଆହୁରି ବଢ଼ାଇ ଦେଇଛି ।

PICINIC

SELFIE

ଅଫିସ୍‌ ଖାଁ ଖାଁ

ସେହିଭଳି ଆଜି କାର୍ଯ୍ୟ ଦିବସ ଥିବାରୁ ବିଭିନ୍ନ କାର୍ଯ୍ୟାଳୟରେ ଆରାମରେ ଫୁରସତରେ ଲୋକେ ଗପସପ ହୋଇ କାମ କରୁଛନ୍ତି । ବିଶେଷ ଚାପ ନେଇ କାମ କରିବାକୁ ପସନ୍ଦ କରୁ ନାହାନ୍ତି । ଅବଶ୍ୟ ଅନେକ କାର୍ଯ୍ୟାଳୟରେ ଉପସ୍ଥାନ କମ୍‌ ରହିଛି । ଯେଉଁମାନେ ବି ଅଛନ୍ତି ସେମାନେ ଗତକାଲି ରାତିର ସେଲିବ୍ରେସନ୍‌ ନେଇ ଆଲୋଚନା କରୁଛନ୍ତି । ସେ ଯାହା ବି ହେଉ ନୂଆ ବର୍ଷର ଉନ୍ମାଦନା, କିଛି ସଂକଳ୍ପ ସେ ରହୁ କି ଅଧାରୁ ଭାଙ୍ଗି ଯାଉ କିନ୍ତୁ କିଛି ନିଷ୍ପତ୍ତି ନିଆଯାଏ । ଯାହା ଏଇ ସକାରାତ୍ମକ ପରିବେଶର ପ୍ରଭାବ କହିଲେ ଭୁଲ ହେବ ନାହିଁ ।

ରାତି ଭାରୀ ଥିଲା

ସାରା ବିଶ୍ୱ ଆଜି ନୂଆ ବର୍ଷ ମନେଇବାରେ ମସଗୁଲ । ଡିସେମ୍ବର ୩୧ ତାରିଖର ସନ୍ଧ୍ୟା ପର ଠାରୁ ଆରମ୍ଭ ହୋଇଯାଇଥିଲା ସେଲିବ୍ରେସନ୍‌ । ଆମ ରାଜ୍ୟରେ ରାତି ସାରା ନାଚ ଗୀତର ଧୁମ୍‌ ପରେ ଠିକ୍‌ ରାତି ୧୨ଟାକୁ ଜିରୋ ଆଓ୍ଵାରରେ ସମସ୍ତେ ପରସ୍ପରକୁ ହାପି ନ୍ୟୁୟର କହିଥିଲେ । ନବ ବର୍ଷର ଶୁଭେଚ୍ଛା ଜଣାଇଥିଲେ । ପାଖରେ ଥିଲେ ଆଲିଙ୍ଗନ କରିଥିଲେ । ଦୂର ଲୋକଙ୍କୁ ଫୋନ୍‌, ହ୍ଵାଟସଆପ୍‌, ଫେସ୍‌ବୁକ୍‌ ଜରିଆରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଯୁଗ ବଦଳିଛି । ତା ସହିତ ଯୋଗାଯୋଗର ବ୍ୟବସ୍ଥା ମଧ୍ୟ । ତେଣୁ କାହାକୁ ଯୋଗାଯୋଗ କରିବାରେ କିଛି ବି ଅସୁବିଧା ନାହିଁ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏଥର ଜିରୋ ଆଓ୍ଵାର ବେଳେ ବିଶେଷ ଭାବେ ନେଟ୍‌ଓ୍ଵାର୍କ ସମସ୍ୟା ହୋଇନାହିଁ । ଫୋନ୍‌ ଲାଗିଛି ।

DANCE
ତେବେ ଗୋଟିଏ ଏଥର ଖଟ୍‌କା ଲାଗିଲା ଯେ କ୍ଲବ୍‌ ଓ ବଡ଼ ହୋଟେଲଗୁଡ଼ିକରେ ଯେଉଁ ମନୋରଞ୍ଜନ କାର୍ଯ୍ୟକ୍ରମ ହେଉଛି ସେଥିରେ ଅଶ୍ଳୀଳତାକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ‘ଦାରୁ ପିକେ ଡ୍ୟାନ୍ସ କରେ…’ ଗୀତରେ ଯେଭଳି ଭାବେ ଡ୍ୟାନସରମାନେ କମ୍‌ ପୋଷାକରେ ନୃତ୍ୟ କରୁଥିଲେ ଆଉ ତାଙ୍କ ସହ ତାଳ ଦେଇ ନାଚୁଥିଲେ ସାରା ପରିବାର । ଯାହା ଆମ ଦେଶର ସଭ୍ୟତା ପ୍ରତି ଅସମ୍ମାନ । ସେଲିବ୍ରେଟ୍‌ କରିବାର, ମଜା ଓ ଆନନ୍ଦ ଉଠାଇବାର ଆହୁରି ମଧ୍ୟ ରାସ୍ତା ଅଛି ହେଲେ ଏଭଳି କାର୍ଯ୍ୟକୁ ଅନୁମତି ମିଳିବା ଉଚିତ ନୁହେଁ । ଏଭଳି ନୃତ୍ୟ ଓ ପରିବେଶକୁ ଆମେ ଟେଲିଭିଜନ୍‌ ଚ୍ୟାନେଲ୍‌ରେ ମଧ୍ୟ ଲାଇଭ୍‌ ଦେଖାଉଛୁ ।
ସମ୍ବଲପୁର ଶୀତଳ ଷଷ୍ଠୀରେ ଡ୍ୟାନ୍ସରମାନଙ୍କ ଅଶ୍ଳୀଳ ନୃତ୍ୟକୁ ବିରୋଧ କରାଯିବା ପରେ ଏହା ବନ୍ଦ ହୋଇଛି । ଏବେ ଏଭଳି ଅଶ୍ଳୀଳ ନୃତ୍ୟକୁ ନୂଆ ବର୍ଷ ପାଳନ ବେଳେ ମଧ୍ୟ ବନ୍ଦ କରାଯିବା ଦରକାର ।

ମଜା ନାଁରେ ସଜା

କର୍ମମୟ ଜୀବନ ଭିତରେ ମଣିଷ ଖୋଜେ ଟିକେ ଫୁରୁସତର ମୁହୂର୍ତ୍ତ । ଗତାନୁଗତିକ କାମରୁ ଦୂରେଇ ହସମଜା କରିବାକୁ ଚାହେଁ । ପାଟି ସୁଆଦିଆ ଖାଦ୍ୟ ସାଙ୍ଗକୁ ନାଚ ଗୀତର ଆସର ଜମେ । ମନ ହାଲକା ହୋଇଗଲେ ତା ପର ଦିନ କାମକୁ ଯିବା ବେଳେ ଏକ ନୂଆ ଉତ୍ସାହ ମନ ଭିତରେ । କିଛି ନୂଆ କରିବାର ଆଗ୍ରହ ଆସେ । ହେଲେ ମଦ ନିଶା ଉତୁରିଲା ପରେ ଯେଉଁ ପ୍ରଭାବ ଥାଏ ତାକୁ ନେଇ କେବଳ ଟିକେ କମ୍‌ ପିଇଥିଲେ ଭଲ ହୋଇଥାନ୍ତା କଥାଟି ମନ ବାରମ୍ବାର କହେ । କୌଣସି ଦୁର୍ଘଟଣା ଘଟିଲେ, ପରେ ଭାବନ୍ତି ଏମିତି ନକରିଥିଲେ ଭଲ ହୋଇଥାନ୍ତା ।
ସେହିଭଳ ଉଚ୍ଚସ୍ୱରରେ ଡିଜେ ବଜାଇ ନିଜେ ନାଚିବାରେ ମଜା ଥାଏ ସିନା ହେଲେ ଅନ୍ୟକୁ ଯନ୍ତ୍ରଣା ଦେବାର କଥାଟା ଭୁଲି ଯାଆନ୍ତି ସମସ୍ତେ । କାରଣ ଏଯୁଗରେ ଆମେ ନିଜ କଥା ଆଗେ ଅନ୍ୟର କଥା ପଛରେ ଭାବିଥାଏ । ଯେଉଁଥିପାଇଁ ଆମେ ନିଜେ ହିଁ କହୁ ଦୁନିଆ ବଦଳି ଯାଇଛି । ଭୁଲି ଯାଉ ଏଇ ଦୁନିଆକୁ ଆମେ ହିଁ ବଦଳାଇଛୁ ବୋଲି ।

ହିମାଂଶୁ ପତିମିଶ୍ର

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.