ସଇଁନ୍ତଲା ଭଦ୍ରା ଗାଁରୁ ଉଦ୍ଧାର ହେଲା ବିକ୍ରି ଶିଶୁ, ‘ସା’ କେନ୍ଦ୍ରରେ ରଖିଛି ପ୍ରଶାସନ

ବଲାଙ୍ଗୀର : ଗରିବୀ ପାଇଁ ନବଜାତ ଶିଶୁପୁତ୍ରକୁ ବିକ୍ରି ଘଟଣାରେ ସଇଁନ୍ତଲା ଭଦ୍ରା ଗାଁରୁ ଉଦ୍ଧାର ହୋଇଛି ବିକ୍ରି ଶିଶୁ । ଘଟଣା ବିଷୟରେ ଜଣାପଡିବା ପରେ ପ୍ରଶାସନ ଖୋଳତାଡ କରି ବିକ୍ରି ହୋଇଥିବା ଶିଶୁ ପୁତ୍ରକୁ ଉଦ୍ଧାର କରିଛି । ଶିଶୁକୁ ଉଦ୍ଧାର ପରେ ‘ସା’ କେନ୍ଦ୍ରରେ ରଖାଯାଇଛି । ଉକ୍ତ ଶିଶୁର ମାଆ ଗତ ୬ ତାରିଖରେ ଭୀମଭୋଇ ମେଡିକାଲରେ ପ୍ରସବ କରିଥିଲେ ।
ସୂଚନାନୁଯାୟୀ, ଶିଶୁପୁତ୍ରର ମା’ ବଲାଙ୍ଗୀର ସହର ମାଲପଡ଼ା ମେଟାକାନୀ ମନ୍ଦିର ପାଖରେ ଭଡ଼ା ଘରେ ରହୁଥିଲେ । ତଳଗଜ ଗାଁର ସେ ମୂଳ ବାସିନ୍ଦା । ଏଠାରେ ସେ କାମଧନ୍ଦା କରି ଚଳୁଥିଲେ । ଗତ ୬ ତାରିଖରେ ମହିଳା ଭୀମ ଭୋଇ ମେଡିକାଲ୍ କଲେଜ ହସପିଟାଲରେ ଏକ ସୁସ୍ଥ ଶିଶୁପୁତ୍ର ଜନ୍ମ ଦେଇଥିଲେ ଏବଂ ୮ ତାରିଖରେ ମେଡିକାଲ୍ରୁ ଡିସ୍ଚାର୍ଜ ହୋଇଥିଲେ । କିନ୍ତୁ ସେ ଶିଶୁପୁତ୍ରକୁ ଅନ୍ୟଜଣଙ୍କୁ ୫ ହଜାର ଟଙ୍କାରେ ବିକ୍ରି କରିଥିବା ଜଣାପଡ଼ିଥିଲା । ମେଡିକାଲ ଭିତରେ ହିଁ ମଧ୍ୟସ୍ଥି ଏହି ଡିଲ୍ କରିଥିବା ଖୋଳତାଡ଼ରୁ ଜଣାଯାଇଛି । ମଧ୍ୟସ୍ଥିଙ୍କୁ ଟିଟିଲାଗଡ଼ରୁ ଠାବ କରାଯାଇଛି । ଏହି ଘଟଣାକୁ ପ୍ରଶାସନ ଗୁରୁତ୍ବର ସହ ନେଇଛି । ପୋଲିସ, ସିଡବ୍ଲୁସି, ଶିଶୁ ମଙ୍ଗଳ ଅଧିକାରୀ ମହିଳାଙ୍କ ଘରକୁ ଯାଇ ପଚରାଉଚରା କରିଛନ୍ତି । ଦାରିଦ୍ର୍ୟ ପାଇଁ ଶିଶୁର ଲାଳନପାଳନ ଅସୁବିଧା ହେବ ବୋଲି ତାକୁ ଅନ୍ୟ ଜଣଙ୍କୁ ଦେଇଥିବା ମହିଳା ଜଣଙ୍କ ପୋଲିସ ଆଗରେ ସ୍ବୀକାର କରିଛନ୍ତି ।
ଆହୁରି ପଢ଼ନ୍ତୁ : ଛିନତାଇ କରି ଫେରୁଥିବାବେଳେ କାର ଦୁର୍ଘଟଣାଗ୍ରସ୍ତ: ୪୬ ଗ୍ରାମ ସୁନା, ୨୦୯ ଗ୍ରାମ ରୁପା ଜବତ