ଯାଜପୁର : ନବରାତ୍ରୀ ବେଳେ ଏଭଳି ଅଘଟଣ, ଡଷ୍ଟବିନ୍‌ ଭିତରୁ ଉଦ୍ଧାର ହେଲା ଅଲୋଡା ଶିଶୁ କନ୍ୟା

ଯାଜପୁର ଟାଉନ(କେନ୍ୟୁଜ୍): ବର୍ତ୍ତମାନ ନବରାତ୍ରୀ ଚାଲୁଥିବା ବେଳେ ମା’ଙ୍କ ପୂଜାର୍ଚ୍ଚନା ପାଇଁ ସମସ୍ତେ ବ୍ୟସ୍ତ। କିନ୍ତୁ ଏହି ଶାରଦୀୟ ନବରାତ୍ରୀ ସମୟରେ ମହିଳାଙ୍କୁ ସମ୍ମାନ ଦେଇ ମା’ଙ୍କୁ ଦେବୀ ରୂପରେ ପୂଜା କରାଯାଉଥିବା ବେଳେ ସେପଟେ ଅଲୋଡ଼ା ହେଉଛି ଶିଶୁକନ୍ୟା । ଏକ ଅଲୋଡା ଶିଶୁ କନ୍ୟାକୁ କେହି ଜଣେ ଡଷ୍ଟବିନ୍‌ ଭିତରେ ଫୋପାଡି ଦେଇ ଚାଲି ଯାଇଛି। ଘଟଣାଟି ଯାଜପୁର ଜିଲ୍ଲାର ରସୁଲପୁର ବ୍ଳକ ମଧୁବନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଘଟିଛି । ଆଜି ସକାଳୁ ଏକ ନବଜାତ ଶିଶୁକନ୍ୟାକୁ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କ ଦ୍ଵାରା ଉଦ୍ଧାର କରାଯାଇଛି। ଅଳିଆ ସଫା କରୁଥିବା ସମୟରେ ଡଷ୍ଟବିନରେ ଶିଶୁକନ୍ୟାଟି ପଡ଼ିଥିବାର ଦେଖି ସ୍ଥାନୀୟ ବାସିନ୍ଦା ଡାକ୍ତରଙ୍କୁ ଜଣାଇଥିଲେ । ଡାକ୍ତର ତୁରନ୍ତ ଶିଶୁଟିକୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପରେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଶିଶୁ ସୁରକ୍ଷା ୟୁନିଟ ଖବର ପାଇ ମୁଖ୍ୟ ଚିକିତ୍ସାଳୟରେ ପହଂଚି ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ଅବସ୍ଥା ଗୁରୁତର ହେବାରୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଅଧିକ ଚିକିତ୍ସା ପାଇଁ ନବଜାତ ଶିଶୁ କନ୍ୟାକୁ କଟକ ଶିଶୁ ଭବନକୁ ସ୍ଥାନାନ୍ତର କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.