ଚାଲିଗଲା ନବଜାତ ଶିଶୁକନ୍ୟାର ଜୀବନ, ନ୍ୟାୟ ପାଇଁ ଅଭିଯୋଗ କରି ନିରାଶରେ ଫେରିଲେ ପରିବାର ଲୋକେ

କାକଟପୁର: ଛାତି ଫଟାଇ ମା’ କାନ୍ଦୁଛି, ବାପା ବି କାନ୍ଦୁଛି… କାନ୍ଦୁଛନ୍ତି ପୂରା ପରିବାର । ଘଡ଼ିକୁ ଘଡ଼ି ଚେତା ହରାଉଛି ମା’। କାନ୍ଦ ବୋବାଳିରେ ଫାଟିପଡ଼ୁଥାଏ ହସ୍ପିଟାଲ ପରିସର । କହାରି ଧୈର୍ଯ୍ୟ ରହୁନଥାଏ । କେମିତି ବା ରହିବ ଦଶମାସ ଦଶ ଦିନ ଗର୍ଭ ଯନ୍ତ୍ରଣା ସହିଥିବା ମା’ ର ଆଖି ଆଗରେ ତା କଅଁଳ ଶିଶୁଟି ସବୁଦିନ ପାଇଁ ଆଖି ବୁଜିଦେଲା । ଏକଥାକୁ କେମିତି ଗ୍ରହଣ କରିବ ମା’? ଝିଅର କୁନି ଓଠରୁ ହସ ଝରିବା ବଦଳରେ ସବୁଦିନ ପାଇଁ ଚିର ନିଦ୍ରାରେ ଶୋଇଯାଇଛି । ଛୁଆଟିକୁ କୋଳେଇ କାନ୍ଦୁଛନ୍ତି ପରିବାର ସଦସ୍ୟ ଆଉ ଦାୟୀ କରୁଛନ୍ତି ଡାକ୍ତରଙ୍କୁ । କାକଟପୁରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଅବହେଳା ପାଇଁ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁର ରଞ୍ଜନ ସ୍ଵାଇଁ । ତାଙ୍କ ସ୍ତ୍ରୀଙ୍କ ଡେଲିଭରି କରାଇବା ପାଇଁ ଏହି ଘରୋଇ ମେଡିକାଲକୁ ଆସିଥିଲେ । ଏଠାରେ ସମସ୍ତ ସୁବିଧା ସହିତ ସବୁ ବିଭାଗର ଡାକ୍ତର ରହିଛନ୍ତି ବୋଲି ହସ୍ପିଟାଲ ପକ୍ଷରୁ ରଞ୍ଜନଙ୍କୁ କୁହାଯାଇଥିଲା । ରଞ୍ଜନ ସ୍ତ୍ରୀଙ୍କର ସେଠାରେ ଆଡମିସନ୍ କରିଥିଲେ । ଅସ୍ତ୍ରୋପଚାର ପରେ ତାଙ୍କ ସ୍ତ୍ରୀ ଗୋଟିଏ ଝିଅ ଜନ୍ମ ଦେଇଥିଲେ । ଛୁଆଟି ଜନ୍ମ ହେବା ପରେ ଲଗାତର ଭାବରେ କାନ୍ଦିବା ଆରମ୍ଭ କରିଥିଲା । କାନ୍ଦିବା ସହିତ କୌଣସି ଖାଦ୍ୟ ଖାଇ ନଥିଲା । ହେଲେ ଏଠାରେ କୌଣସି ଶିଶୁ ବିଭାଗ କିମ୍ବା ପ୍ରସୂତି ବିଭାଗର ଡାକ୍ତରଙ୍କ ଦେଖା ନ ଥିଲା । ପରିବାର ଲୋକେ ବ୍ୟସ୍ତ ହୋଇ ହସ୍ପିଟାଲରେ ରହିଥିବା ନର୍ସଙ୍କୁ ପିଲା କାହିଁକି କାନ୍ଦୁଛି ବୋଲି ପଚାରିଥିଲେ । ଡାକ୍ତରଙ୍କୁ ଡାକନ୍ତୁ ବୋଲି କହିବା ପରେ ନର୍ସମାନେ କହିଥିଲେ ଯେ ପିଲାକୁ ଟୀକା ଦିଆଯାଇଛି, ସେଥିପାଇଁ ସେ କାନ୍ଦୁଛି । ନବଜାତ ଶିଶୁ କନ୍ୟାଟି କାନ୍ଦି କାନ୍ଦି ଅସୁସ୍ଥ ହୋଇ ପଡିଥିଲା ।

ଏହିଭଳି ଭାବରେ ତିନିଦିନ ଧରି ପିଲାଟି ଡାକ୍ତରଖାନାରେ ରହିଥିଲା । ହେଲେ ଅଭିଯୋଗ ଅନୁଯାୟୀ ତାକୁ ଦେଖିବା ପାଇଁ କୌଣସି ଶିଶୁ ବିଭାଗର ଡାକ୍ତର ଆସି ନଥିଲେ । ଚାରିଦିନ ପୂରିବା ବେଳକୁ ଶିଶୁ କନ୍ୟାଟିର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଉଥିବା ବେଳେ ତରବରିଆ ଭାବରେ ଶିଶୁ କନ୍ୟା ସହିତ ମା’କୁ ହସ୍ପିଟାଲ ପକ୍ଷରୁ ଡିଶ୍ଚାର୍ଜ କରାଇ ଦିଆଯାଇଥିଲା । ପରିବାର ଲୋକେ ଶିଶୁକନ୍ୟାକୁ ନେଇ ଘରେ ପହଞ୍ଚିବା ବେଳକୁ ତାର ସ୍ୱାସ୍ଥ୍ୟବସ୍ଥା ଆହୁରି ବିଗିଡିବା ଆରମ୍ଭ କରିଥିଲା । ତେଣୁ ପରିବାର ଲୋକେ ପୁଣି ଥରେ ପ୍ରସବ କରାଯାଇଥିବା ହସ୍ପିଟାଲକୁ ଶିଶୁ କନ୍ୟା ସହିତ ମା’କୁ ନେଇ ଆସିଥିଲେ । ହେଲେ ହସ୍ପିଟାଲରେ କୌଣସି ବିଭାଗୀୟ ଡାକ୍ତରଙ୍କ ଦେଖା ମିଳି ନ ଥିଲା । କିଛି ସମୟ ପରେ ଶିଶୁ କନ୍ୟାଟି ଜନ୍ମ ନେଇଥିବା ସେହି ଘରୋଇ ହସ୍ପିଟାଲରେ ସବୁଦିନ ପାଇଁ ଆଖିବୁଜି ଦେଇଥିଲା । ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା ।

ଏହି ଘଟଣାରେ ହସ୍ପିଟାଲ ପକ୍ଷରୁ କାକଟପୁର ପୋଲିସକୁ ଖବର ଦିଆଯାଇଥିଲା ଏବଂ ଘଟଣା ସ୍ଥଳରେ ପୁଲିସ ପହଞ୍ଚିଥିଲା । ପରିବାର ଲୋକଙ୍କ ସହିତ ଆଲୋଚନା କରି ଥାନାରେ ଅଭିଯୋଗ କରିବା ପାଇଁ କହିଥିଲା । ତେବେ ପରିବାର ଲୋକେ ଥାନାକୁ ଯାଇ ଅଭିଯୋଗ କରିବା ସମୟରେ ପୋଲିସ କୁଆଡ଼େ ମାମଲାକୁ ଆପୋଷ ସମାଧାନ କରିବାକୁ କହିଥିଲା । ଶେଷରେ ନିରାଶ ହୋଇ ପରିବାର ଲୋକେ ଶିଶୁକନ୍ୟାଟିର ମୃତଦେହକୁ ଧରି ଘରକୁ ଫେରିଥିଲେ । ଗାଁ ମଶାଣିରେ ତାକୁ ପୋତି ଦେଇଥିଲେ । ତେବେ ଚିକିତ୍ସା ଅବହେଳା ନେଇ ପରିବାର ଲୋକଙ୍କ ଅଭିଯୋଗରେ ନା ହସ୍ପିଟାଲ କର୍ତ୍ତୃପକ୍ଷ ନା ପୋଲିସ୍ କିଛି ବି ପ୍ରତିକ୍ରିୟା ରଖି ନାହାନ୍ତି ।

 

Also read:ଧାନଚେଙ୍ଗଡାରେ ଦୁଇ ପୁଅକୁ ହତ୍ୟା ଘଟଣା, ହତ୍ୟାକାରୀ ବାପା ଓ ଜେଜେମାକୁ ନେଇ ହେଲା ସିନ୍ ରିକ୍ରିଏସନ୍‌