ହସ୍ପିଟାଲ ବେଡ୍‌ରୁ ଚୋରି ଶିଶୁ ଉଦ୍ଧାର, ସିସିଟିଭି ପାଇଁ ଧରାପଡିଲା ଚୋର

ବାଲେଶ୍ୱର(କେନ୍ୟୁଜ): ମେଡିକାଲରୁ ଚୋରି ଶିଶୁ ଉଦ୍ଧାର । ବାଲେଶ୍ୱର ମେଡିକାଲରୁ ଚୋରି ହୋଇଥିବା ନବଜାତ ଶିଶୁ ଉଦ୍ଧାର ହୋଇଛି । ଜଳେଶ୍ୱର ଅଞ୍ଚଳରୁ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରିଛି ପୋଲିସ୍ । ଶିଶୁ ଚୋରି କରିଥିବା ଆଶାକର୍ମୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ତେବେ ଉଦ୍ଧାର ପରେ ଶିଶୁକୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗତକାଲି ଏସପିଙ୍କ ନିର୍ଦ୍ଦେଶରେ ଡିଏସପି ଓ ସହଦେବଖୁଣ୍ଟା ଥାନା ଅଧିକାରୀ ପ୍ରଜ୍ଞା ମହାନ୍ତିଙ୍କ ନେତୃତ୍ଵରେ ଏକ ଟିମ୍ ଗଠନ ହୋଇ ତଦନ୍ତ ଆରମ୍ଭ ହୋଇଥିଲା । ପିଲାଟିକୁ ଚୋରି କରିଥିବା ମହିଳାଙ୍କ ଭିଡିଓ ହସ୍ପିଟାଲ ସିସି କ୍ୟାମେରାରୁ ଜବତ କରି ପୋଲିସ୍ ତା’ର ଫଟୋ ଜାରି କରିଥିଲା ।

ତେବେ ଶନିବାର ବିଳମ୍ବିତ ରାତିରେ ବାଲିଆପାଳ କୁଲ୍ଲାଚଡ଼ ଗାଁରୁ ପୂର୍ଣ୍ଣଚନ୍ଦ୍ର ଦଣ୍ଡପାଟଙ୍କ ପତ୍ନୀ ଅନୀତା ପ୍ରସବ ପାଇଁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଗତକାଲି ଶିଶୁ ଜନ୍ମ ହେବା ପରେ ନବଜାତକକୁ ଜଣେ ଅଜଣା ମହିଳା ଚୋରି କରିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର ।

ହଠାତ୍ ହସ୍ପିଟାଲ ବେଡ୍‌ରୁ ଶିଶୁ ପୁତ୍ରକୁ ଚୋରି କରାଯାଇଥିଲା । ତେବେ ପାଖରେ ଆଶାକର୍ମୀ ନଥିଲେ । ତେଣୁ ମା ପାଖରୁ ପିଲାଟିକୁ ଡାକ୍ତରଙ୍କ ପାଖକୁ ନେଇଥିଲେ ଜଣେ ମହିଳା । ହେଲେ ସେତିକି ବେଳୁ ପିଲାଟିର ମିଳିନଥିଲା ପତ୍ତା । ଏପେଟେ ପୁଅ ପୁଅ କହି ଛାତି ଫଟାଇ କାନ୍ଦୁଥିଲା ମା । ଏହାରି ଭିତରେ ରାତି ୧୨ ଟାରେ ଜନ୍ମ ହୋଇଥିବା ଶିଶୁପୁତ୍ର କୁଆଡ଼େ ଗଲା ବୋଲି ଖୋଜା ପଡ଼ିଥିଲା । ପୁରା ଚହଳ ପଡିଯାଇଥିଲା ମେଡିକାଲ ପରିସରରେ ।

ମାଆ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଏଭଳି ନବଜାତକ ଚୋରି ହୋଇଥିବା ଘଟଣାକୁ କେହି ସହଜରେ ଗ୍ରହଣ କରିପାରିନଥିଲେ । ଏ ନେଇ ହସ୍ପିଟାଲ ଫାଣ୍ଡିରେ ଅନିତାଙ୍କ ଶାଶୁ ଘର ଲୋକେ ପିଲା ଚୋରି ନେଇ ଅଭିଯୋଗ କରିବାପରେ ପୋଲିସ୍ କାଳ ବିଳମ୍ବ ନକରି ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା । ହସ୍ପିଟାଲ ସିସିଟିଭି କ୍ୟାମେରା ଫୁଟେଜ ଯାଞ୍ଚ କରିବାପରେ ସବୁ ଘଟଣା ସାମ୍ନାକୁ ଆସିଥିଲା ।

ତେବେ ଏଠି ହସ୍ପିଟାଲରେ ସବୁଠି ସିସିଟିଭି ଲାଗିଥିବାରୁ ଏଭଳି ଅଭାବନୀୟ ଘଟଣା ଉପରୁ ପର୍ଦ୍ଦାଫାଶ ହୋଇପାରିଛି । ଏହାର ଉଚିତ୍‌ ତଦନ୍ତ କରାଯାଇଥିବାରୁ ଆଜି ମା କୋଳକୁ ଫେରି ଆସିଛି ତାର ଶିଶୁ । ତେବେ ଏ ଦିଗରେ ଦୋଷୀ ବିରୋଧ ଏମିତି କିଛି କଡା ପଦକ୍ଷେପ ଗ୍ରହଣ କରିବା ଉଚିତ୍ ଯେପରି ପୁନର୍ବାର ଅନ୍ୟ କାହା ସହ ଏଭଳି ଅଭାବନୀୟ ଘଟଣା ନ ଘଟୁ ।

 

You might also like