ମରିଗଲା ସବୁ ମମତା, ଲକ୍ଷେ ଟଙ୍କାରେ ଡାକ୍ତରଖାନାରେ ଛୁଆକୁ ବିକିଦେଲା ମା’

ପାରାଦୀପ: ଟଙ୍କା ଲୋଭ ମା’ କୁ କରିଦେଲା ଅନ୍ଧ। ମରିଗଲା ସବୁ ମମତା । ଅନ୍ତଫାଡ଼ି ଜନ୍ମ ଦେଇଥିଲା ହେଲେ ସେ ସବୁ କଷ୍ଟକୁ ଭୁଲିଗଲା । ତାଠୁ ବଡ଼ ହେଲା ତା ପାଇଁ ଟଙ୍କା । ଟଙ୍କା ଲୋଭ ଏତେ ଅନ୍ଧ କରି ଦେଲା ଯେ ମା’କୁ ଛୁଆ ପ୍ରେମ ଦେଖା ଗଲାନି । ୫ ଦିନର ଛୁଆକୁ ଅନ୍ୟ ହାତକୁ ଟେକିଦେଲା । ଲକ୍ଷେ ଟଙ୍କାରେ ବିକ୍ରି କରିଦେଲା ନିଜ ଜନ୍ମ କଲା ଛୁଆକୁ ।

ଏଭଳି ଘଟଣା ପାରାଦୀପରୁ ସାମ୍ନାକୁ ଆସିଛି । ପିଲା ବିକ୍ରି ଅଭିଯୋଗ ବନ୍ଦର ନଗରୀ ପାରାଦ୍ଵୀପରେ ଏବେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ତେବେ ଏ ପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ପ୍ରକାର ଅଭିଯୋଗ ଥାନାରେ ହୋଇନଥିଲେ ମଧ୍ୟ ୫ ଦିନର ଶିଶୁପୁତ୍ରକୁ ଏକ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ଆଲୋଚନା ଜୋର ଧରିଛି ।

ଜଣେ ଆଦିବାସୀ ମହିଳା ଅଠରବାଙ୍କି ସରକାରୀ ଡାକ୍ତରଖାନାରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ସୋମବାର ସେହି ପିଲାକୁ ଆନ୍ଧ୍ରପ୍ରଦେଶର ଜଣେ ବ୍ୟକ୍ତିଙ୍କୁ ବିକି ଦେଇଥିବା ଅଭିଯୋଗ ହେଉଛି। ନୂଆ ବଜାରର ଜଣେ ଦଲାଲଙ୍କ ପ୍ରରୋଚନାରେ ଛୁଆକୁ ଲକ୍ଷେ ଟଙ୍କାରେ ବିକ୍ରି କରିଥିବା କଥା ସାମ୍ନାକୁ ଆସିଛି ।

ନୂଆବଜାର ଆଶା କର୍ମୀଙ୍କ କହିବା ଅନୁଯାୟୀ ଉକ୍ତ ମହିଳାଙ୍କ ସ୍ବାମୀ ତାଙ୍କୁ ଛାଡି ଚାଲିଯାଇଛନ୍ତି, ମାତ୍ର ସେ ଗର୍ଭବତୀ ହେବାରୁ ନୂଆବଜାର ଅଞ୍ଚଳର ଜଣେ ମହିଳା ପିଲାର ଲାଳନ ପାଳନ କରିବାର ପ୍ରତିଶୃତି ଦେଇ ତାଙ୍କର ଚିକିତ୍ସା କରାଉଥିଲେ। ଉକ୍ତ ମହିଳା ଜଣଙ୍କ ମୁଲ ଲାଗି ଚଳନ୍ତି । ଜଣେ ବ୍ୟକ୍ତି ତାଙ୍କୁ ଅର୍ଥ ଲୋଭ ଦେଇ ପିଲାକୁ ନେଇ ଆନ୍ଧ୍ର ପଳାଇ ଯାଇଥିବା ଅଭିଯୋଗ ହୋଇଛି । ତେବେ ଏହି ମହିଳାଙ୍କୁ ଚିକିତ୍ସା କରାଉଥିବା ଉକ୍ତ ମହିଳା ଏହା ଜାଣିବା ପରେ ସ୍ଥାନୀୟ ପରିଷଦ ଓ କିଛି ମହିଳାଙ୍କୁ ସାଙ୍ଗରେ ନେଇ ପାଟିତୁଣ୍ଡ କରିଥିଲେ । ଉକ୍ତ ପିଲାଟିକୁ ଭାଇଜାଗ କିମ୍ବା ଆନ୍ଧ୍ର ଅଞ୍ଚଳର ଜଣକୁ ବିକ୍ରି କରିଦେଇଥିବା ଚର୍ଚ୍ଚା ହେଉଛି ।

ତେବେ ଏହି ଘଟଣା ସମ୍ପର୍କରେ ଖବର ପାଇ ପାରାଦ୍ଵୀପ ଆଦର୍ଶ ଥାନା ପୋଲିସ ତଦନ୍ତ କରିଥିଲେ ମଧ୍ୟ ଉକ୍ତ ମହିଳାଙ୍କୁ ନ ପାଇବାରୁ ଘଟଣାର ସତ୍ୟାସତ୍ୟ ଜଣାପଡି ନାହିଁ। ଏହି ଘଟଣାର ଅଧିକ ତଦନ୍ତ ପାଇଁ ଜାରି ରହିଛି । ଘଟଣାର ଛାନଭିନ୍‌ ପରେ ସାମ୍ନାକୁ ଏହା ପଛର ରହସ୍ୟ ।