ଭୁବନେଶ୍ୱରରେ ପହଞ୍ଚିଲେ ନବନିଯୁକ୍ତ ରାଜ୍ୟପାଳ ଡ.ହରିବାବୁ କମ୍ଭମପତି, ବିମାନ ବନ୍ଦରରେ ଦିଆଗଲା ଗାର୍ଡ ଅଫ ଅନର
ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ନବନିଯୁକ୍ତ ରାଜ୍ୟପାଳ ଡ.ହରିବାବୁ କମ୍ଭମପତି । ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି । ପରେ ରାଜଭବନ ଯାଇ ସେଠାରୁ ପୁରୀ ଅଭିମୁଖେ ଯିବେ । ପୁରୀ ରାଜଭବନରେ ରାତ୍ରିଯାପନ କରିବେ ନବନିଯୁକ୍ତ ରାଜ୍ୟପାଳ । କାଲି ସକାଳେ ସସ୍ତ୍ରୀକ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିବେ । ସେଠାରୁ ଭୁବନେଶ୍ବରର ଫେରିବା ପରେ ସକାଳ ୧୦ଟା ୧୫ରେ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ନେବେ । ନୂଆ ରାଜ୍ୟପାଳଙ୍କ ଶପଥ କାର୍ଯ୍ୟକ୍ରମ ପାଇଁ ରାଜଭବନ ଅଭିଷେକ ହଲରେ ବ୍ୟପାକ ପ୍ରସ୍ତୁତି କରାଯାଇଛି । ହାଇକୋର୍ଟର ମୁଖ୍ୟ ବିଚାରପତି ରାଜ୍ୟପାଳଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଶିକ୍ଷାବିତରୁ ରାଜ୍ୟପାଳ ହୋଇଛନ୍ତି ଡ. ହରିବାକୁ କମ୍ଭମପତି ।
ଏହା ପୂର୍ବରୁ ସେ ମିଜୋରାମର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଉଥିଲେ। ୧୯୫୩ ମସିହାରେ ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାରେ ଜନ୍ମିତ କେ ହରିବାବୁ ଆନ୍ଧ୍ର ବିଶ୍ୱବିଦ୍ୟାଳୟରୁ ବି. ଟେକ୍ ଡିଗ୍ରୀ ସହ ପିଏଚଡି ହାସଲ କରିଛନ୍ତି। ଛାତ୍ର ଜୀବନରୁ ରାଜନୀତି ପ୍ରତି ଆଗ୍ରହୀ ଥିବା ହରିବାବୁ ୧୯୭୨ ମସିହାରେ ରାଜନୀତିରେ ସାମିଲ ହୋଇଥିଲେ । ୧୯୭୭ ମସିହାରେ ଆନ୍ଧ୍ରପ୍ରଦେଶ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହୋଇଥିଲେ। ପରେ ୧୯୯୧ ମସିହାରୁ ୧୯୯୩ ମସିହା ପର୍ଯ୍ୟନ୍ତ ସେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ ।