ଆସନ୍ତାକାଲି ଓଡ଼ିଶା ଆସିବେ ନବନିଯୁକ୍ତ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ୩ରେ ନେବେ ଶପଥ
ଭୁବନେଶ୍ବର : ଆସନ୍ତାକାଲି ଓଡ଼ିଶା ଆସିବେ ନବନିଯୁକ୍ତ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି । କାଲି ଅପରାହଣରେ ସେ ଭୁବନେଶ୍ବରରେ ପହଞ୍ଚିବେ । ଆସନ୍ତା ୩ରେ ରାଜ୍ୟପାଳ ଭାବେ ପଦ ଓ ଗୋପନୀୟତାର ଶପଥ ନେବେ ବୋଲି ସୂଚନା ମିଳିଛି । ଶିକ୍ଷାବିତରୁ ରାଜ୍ୟପାଳ ହୋଇଛନ୍ତି ଡ. ହରିବାକୁ କମ୍ଭମପତି । ଏହାପୂର୍ବରୁ ସେ ମିଜୋରାମର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଉଥିଲେ ।
୧୯୫୩ ମସିହାରେ ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାରେ ଜନ୍ମିତ କେ ହରିବାବୁ ଆନ୍ଧ୍ର ବିଶ୍ୱବିଦ୍ୟାଳୟରୁ ବି. ଟେକ୍ ଡିଗ୍ରୀ ସହ ପିଏଚଡି ହାସଲ କରିଛନ୍ତି । ଛାତ୍ର ଜୀବନରୁ ରାଜନୀତି ପ୍ରତି ଆଗ୍ରହୀ ଥିବା ହରିବାବୁ ୧୯୭୨ ମସିହାରେ ରାଜନୀତିରେ ସାମିଲ ହୋଇଥିଲେ । ୧୯୭୭ ମସିହାରେ ଆନ୍ଧ୍ରପ୍ରଦେଶ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହୋଇଥିଲେ। ପରେ ୧୯୯୧ ମସିହାରୁ ୧୯୯୩ ମସିହା ପର୍ଯ୍ୟନ୍ତ ସେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ।
୧୯୯୯ ମସିହାରେ ସେ ବିଶାଖାପାଟଣା ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୪ ମସିହାରେ ବିଶାଖାପାଟଣା ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଏହାସହିତ ୨୦୧୪ରୁ ୨୦୧୮ ମସିହା ପର୍ଯ୍ୟନ୍ତ ରାଜ୍ୟ ବିଜେପି ସଭାପତି ଦାୟିତ୍ୱରେ ଥିଲେ। ୨୦୨୧ ମସିହା ଜୁଲାଇ ୬ ତାରିଖରେ ତାଙ୍କୁ ମିଜୋରମ ରାଜ୍ୟପାଳ ଭାବେ ରାଷ୍ଟ୍ରପତି ନିଯୁକ୍ତି ଦେଇଥିଲେ। ଗତ ୨୪ ତାରିଖରେ ସେ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି ।