ସ୍ବାସ୍ଥ୍ୟ ସେବାରେ ପଡୁଛି ପ୍ରଭାବ, ନୂଆ ଭାବରେ ଟ୍ରେନିଂ ନେଉଥିବା ନର୍ସମାନେ କରୁଛନ୍ତି ଚିକିତ୍ସା

ଦାବି ଶୁଣିଲେନି ସରକାର । ଜିଦରେ ଅଟଳ ରହିଛନ୍ତି ନର୍ସିଂ କର୍ମଚାରୀ । ଦୃଢ ପ୍ରତିଶୃତି ନମିଳିବାରୁ ରାଜ୍ଯରେ ନର୍ସିଂ ଆନ୍ଦୋଳନ ଜାରି ରହିଛି । ବୁଧବାର ଲୋକସେବା ଭବନରେ ସରକାରଙ୍କ ସହ ଆଲୋଚନା ବିଫଳ ହୋଇଥିଲା । ସରକାର ନର୍ସିଂ କର୍ମଚାରୀଙ୍କ ଦାବିକୁ ମାନି ନଥିବାରୁ ଆନ୍ଦୋଳନ ଜାରି ରଖିଛନ୍ତି ନର୍ସିଂ କର୍ମଚାରୀ । ତେବେ ରାଜ୍ୟରେ ଦଶ ଦଫା ଦାବି ନେଇ ଜାରି ରହିଛି ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ । କିନ୍ତୁ ଯାଜପୁର ଜିଲ୍ଲାରେ ଆନ୍ଦୋଳନ ଜନିତ ସମସ୍ୟାକୁ ମୁକାବିଲା କରିବା ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘରୋଇ ନର୍ସିଂ କଲେଜର ଛାତ୍ରଛାତ୍ରୀଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଛି । ସେହିପରି ଆନ୍ଦୋଳନକାରିମାନଙ୍କ ମଧ୍ୟରୁ ଚାଳିଶି ଜଣ ନର୍ସିଂ କର୍ମଚାରୀ ସାମିଲ ହୋଇନାହାନ୍ତି, ସେମାନେ ସୁଚାରୁରୂପେ କାର୍ଯ୍ୟ ଜାରି ରଖିଛନ୍ତି । ଯାହା ଫଳରେ ସ୍ବାସ୍ଥ୍ୟ ସେବା ପ୍ରଭାବ ପଡୁନଥିବା ସିଡିଏମଓ କହିଛନ୍ତି ।

ନର୍ସିଂ କର୍ମଚାରୀମାନଙ୍କ ଆନ୍ଦୋଳନ ଯୋଗୁ ରୋଗୀ ସେଵା ପାଇଁ ଅଧିକ ନର୍ସ ନାହାନ୍ତି । ନୂଆ ଭାବରେ ଟ୍ରେନିଂ ନେଉଥିବା ନର୍ସମାନେ ଚିକିତ୍ସା ପାଇଁ ଆସୁଛନ୍ତି । ଯାହାକୁ ନେଇ ରୋଗୀଙ୍କ ମନରେ ଭୟ ସୃଷ୍ଟି ହେଉଥିବା କହିଛନ୍ତି ରୋଗୀ । ଅନ୍ୟପଟେ ସ୍ୱାସ୍ଥ୍ୟମନ୍ତ୍ରୀ ନର୍ସିଂ କର୍ମଚାରୀମାନଙ୍କୁ ଆନ୍ଦୋଳନରୁ ଓହରି ଯିବା ପାଇଁ ନିବେଦନ କରିଛନ୍ତି । କାରଣ ସ୍ୱାସ୍ଥ୍ୟ ସେବା ବାଧା ପ୍ରାପ୍ତ ହେଉଛି । ନର୍ସିଂ କର୍ମଚାରୀମାନଙ୍କ ଦାବି ପ୍ରତି ସରକାର ସକରାତ୍ମକ ବିଚାର କରୁଛନ୍ତି । ଏନେଇ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇ ଆଲୋଚନା ଜାରି ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like