ସୂଚନା ଓ ଲୋକସମ୍ପର୍କ ବିଭାଗ ସ୍ବୀକୃତି କ୍ରମେ ଖବରକାଗଜ ବିତରକଙ୍କୁ ମିଳିଲା ପରିଚୟ ପତ୍ର

ଭଞ୍ଜନଗର(କେନ୍ୟୁଜ): ଖବରକାଗଜ ବିତରକ। ସମାଜରେ ଯାହାଙ୍କ ଭୂମୀକା ଅତି ଗୁରୁତ୍ବପୂର୍ଣ୍ଣ। ଜନସାଧାରଣଙ୍କୁ ଖବର ସହ ଯୋଡିବାରେ ଏମାନେ ମାଧ୍ଯମ। ତେବେ ଏହି ଗୁରୁତ୍ବପୂର୍ଣ୍ଣ କାର୍ଯ୍ଯ ସମ୍ପାଦନ କରୁଥିବା ବିତରକମାନଙ୍କୁ ମିଳିଲା ପରିଚୟ ପତ୍ର । ଗଂଜାମ ଜିଲ୍ଲା ଭଂଜନଗର ଉପଖଣ୍ଡର ସ୍ଥାନୀୟ ଅଞ୍ଚଳର ଖବରକାଗଜ ବିତରକଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ସ୍ବୀକୃତି କ୍ରମେ , ପରିଚୟ ପତ୍ର ପ୍ରଦାନ କରିଛନ୍ତି ଭଂଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ୍‌ । ଭଂଜନଗର ବ୍ଳକ ବୈଠକ ଗୃହ ଠାରେ ଆୟୋଜିତ କାର୍ଯ୍ଯକ୍ରମରେ ଉପଜିଲ୍ଲାପାଳ ଶ୍ରୀ ମିଞ୍ଜ୍‌ ଙ୍କ ସମେତ ବିଡ଼ିଓ ଅନିଲ୍‌ କୁମାର ସେଠୀ , ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୈାରୀଶଙ୍କର ଶତପଥୀ ପ୍ରମୁଖ ଯୋଗଦେଇ ସ୍ଥାନୀୟ ଅଞ୍ଚଳର ୩୬ ଜଣ ଖବରକାଗଜ ବିତରକଙ୍କୁ ପରିଚୟ ପତ୍ର ପ୍ରଦାନ କରିଥିଲେ ।

ଏହାପୂର୍ବରୁ କୋଭିଡ୍‌ ସହାୟତା ବାବଦରେ ୬ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା । ବିଭିନ୍ନ ବିପର୍ଯ୍ଯୟ ଓ ମହାମାରୀ ସମୟରେ ଖବରକାଗଜ ବିତରକ ଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଆସିଛି । ଏଣୁ ଆସନ୍ତା ଦିନରେ ସରକାରଙ୍କ ଘୋଷଣା ଏବଂ ପଦକ୍ଷେପ ପ୍ରକାରେ , ଯେକୈାଣସି ସହାୟତା ଏବଂ ଆବଶ୍ଯକତା କୁ ମଧ୍ୟ ବିତରକଙ୍କ ପାଖରେ ପହଞ୍ଚାଇବା ପାଇଁ ଗୁରୁତ୍ବ ଦିଆଯିବ ବୋଲି , ଉପସ୍ଥିତ ଅଧିକାରୀ ମାନେ ସୂଚନା ଦେଇଥିଲେ । ଏହାସହ ଆସିକା ଠାରେ ମଧ୍ୟ କାର୍ଯ୍ଯରତ ଖବରକାଗଜ ବିତରକଙ୍କୁ , ସ୍ଥାନୀୟ ସୂଚନା ଭବନଠାରେ ଆୟୋଜିତ କାର୍ଯ୍ଯକ୍ରମରେ, ପରିଚୟପତ୍ର ପ୍ରଦାନ କରାଯାଇଥିଲା ।

ସୂଚନା ଓ ସମ୍ବାଦ ପ୍ରସାରଣରେ ହକରମାନଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଖରା, ବର୍ଷା, ଶୀତ ସବୁ ସମୟରେ ସୂର୍ଯ୍ୟୋଦୟ ପୂର୍ବରୁ ସେମାନଙ୍କର ଆରମ୍ଭ ହୋଇଥାଏ କର୍ମମୟ ଜୀବନ । ଜନସାଧାରଣଙ୍କୁ ଖବର ସହ ଯୋଡିବାରେ ତାଙ୍କର ଭୂମିକା ଓ ସଂଘର୍ଷ ପ୍ରଶଂସା ଯୋଗ୍ଯ।

 

Leave A Reply

Your email address will not be published.