ଆସନ୍ତା ୭ ଦିନ ଭିତରେ ପ୍ରଚଣ୍ଡ ତାତି, ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର : ଆସନ୍ତା ୭ ଦିନ ରାଜ୍ୟରେ ଭୀଷଣ ଗ୍ରୀଷ୍ମଲହରୀ ଜାରି ରହିବ । ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଶନିବାର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାତି ଓ ଗୁଳୁଗୁଳି ରହିବ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଉଷ୍ମ ସହ ଆର୍ଦ୍ର ଅବସ୍ଥା ଅଧିକ ହେବାର ସମ୍ଭାବନା ରହିଛି । ୧୧, ୧୨ ଓ ୧୩ ତାରିଖରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମଲହରି ବହିପାରେ । ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ବୌଦ୍ଧ ଓ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଲାଗି ରହିପାରେ । ତାହାକୁ ନଜରରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଗତ ୨୪ ଘଣ୍ଟାରେ ଉତ୍ତର ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଗୋଟିଏ ଦୁଇଟି ସ୍ଥାନରେ ସର୍ବାଧିକ ତାପମାତ୍ରା ୩ ଡିଗ୍ରି ବୃଦ୍ଧି ପାଇଛି ।

ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲାରେ ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ପ୍ରାୟ ୨ରୁ ୩ ଡିଗ୍ରି କମ୍‌ ଥିଲା । ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ସ୍ବାଭାବିକଠାରୁ ପ୍ରାୟ ୨ ଡିଗ୍ରି ଅଧିକ ଥିଲା ଏବଂ ଓଡ଼ିଶାର ଅନ୍ୟ ଜିଲ୍ଲାଗୁଡ଼ିକରେ ସ୍ବାଭାବିକ ଥିଲା । ସେହିପରି ଗତକାଲି ହୀରାକୁଦ ଓ ଅନୁଗୁଳରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୦.୧ ଡିଗ୍ରି ରହିଥିଲା । ଟିଟିଲାଗଡ଼ ଓ ବୌଦ୍ଧରେ ୪୦ ଡିଗ୍ରି ଛୁଇଁଥିବା ବେଳେ ଅନ୍ୟ ସମସ୍ତ ସହରର ପାରଦ ୪୦ ଡିଗ୍ରି ଭିତରେ ଥିଲା ।

 

ଆହୁରି ପଢ଼ନ୍ତୁ :  ହୀରାକୁଦ ଡ୍ୟାମର ସୁରକ୍ଷା ବ୍ୟବସ୍ଥା ବଢ଼ିଲା, ବନ୍ଧରେ ଅସ୍ଥାୟୀ ରକେଟ ଲଞ୍ଚର ସ୍ଥାପନ