ପ୍ରୟାଗରାଜରେ ଜାଲ ନୋଟ କାରବାର ଘଟଣା, ତଦନ୍ତ ପାଇଁ ଓଡ଼ିଶା ଆସିପାରେ NIA

ଭୁବନେଶ୍ୱର : ଉତ୍ତରପ୍ରଦେଶ ପ୍ରୟାଗରାଜରେ ଜାଲ ନୋଟ କାରବାର ଘଟଣାରେ ଅଧିକ ତଦନ୍ତ ପାଇଁ ଓଡ଼ିଶା ଆସିପାରେ NIA । ଖୁବ ଶୀଘ୍ର ଭଦ୍ରକ ବାସୁଦେବପୁର ଆସିବ ବୋଲି ସୂଚନା ମିଳିଛି । ଅନ୍ୟପଟେ ୟୁପି ପୋଲିସ ଏହି ଘଟଣାରେ ତଦନ୍ତ ଅଭିଯାନ ଜୋରଦାର କରିଛି । ଏଥିରେ ବିଦେଶୀ ପାଣ୍ଠି ନା କୌଣସି ଆତଙ୍କବାଦୀ ସଙ୍ଗଠନର ସଂପୃକ୍ତି ରହିଛି ତାହା ଜାଣିବା ଲାଗି ଚଢାଉ ଜାରି ରହିଛି । ମଦ୍ରାସାରେ ଦେଶବିରୋଧୀ କାର୍ଯ୍ୟକଳାପ ଚାଲିଥିବା ଆଶଙ୍କା କରି ପୋଲିସ ତଦନ୍ତ କରୁଛି । ମଦ୍ରାସାକୁ ପରିଚାଳନା ପାଇଁ କେଉଁଠାରୁ ପାଣ୍ଠି ଆସୁଥିଲା ତାହାର ଯାଞ୍ଚ କରାଯାଉଛି । ଏଠାରେ ପଢୁଥିବା ପ୍ରାୟ ୬୦୦ ଛାତ୍ରଙ୍କୁ ଘଟଣା ବାବଦରେ ପଚରାଉଚରା କରାଯାଇପାରେ ।
ଭଦ୍ରକରୁ ଅନେକ ପିଲା ୟୁପି ଯାଇଥିବା ଅନୁମାନ କରାଯାଇଛି । ମାମଲାରେ ଗିରଫ ୪ ଅଭିଯୁକ୍ତଙ୍କ ମଧ୍ୟରେ ଅଛିନ୍ତି ଭଦ୍ରକର ୨ ଜଣ । ଏମାନେ ହେଲେ ମଦ୍ରାସାର ମୌଲବୀ ମହମ୍ମଦ ତଫସିରୁଲ୍ ଆଫରିନ୍ ଓ ଜାହିର ଖାନ । ଭଦ୍ରକ ଜିଲ୍ଲା ବାସୁଦେବପୁର ଶୁକଦେବପୁର ଗାଁର ସାଜିଦ ଖାନଙ୍କ ପୁଅ ହେଉଛି ଜାହିର ଖାନ । ବିଭିନ୍ନ ମଦ୍ରାସା ଲିଙ୍କରେ ଥିଲା ଅଭିଯୁକ୍ତ ଜାହିର । ଗିରଫ ଅନ୍ୟ ଦୁଇଜଣ ଉତ୍ତର ପ୍ରଦେଶର ମହମ୍ମଦ ସହିଦ ଓ ମହମ୍ମଦ ଅଫଜଲ । ଏମାନଙ୍କ ଠାରୁ ମିଳିଛି ୧୩୦୦ ଖଣ୍ଡ ଶହେ ଟଙ୍କିଆ ଜାଲ ନୋଟ । ଏହାସହ ଲାପଟପ୍, କି ବୋର୍ଡ, ପ୍ରିଣ୍ଟର , କଟର ବ୍ଲେଡ ଓ କଇଁଚି ଜବତ କରିଛି । ଏହି ଜାଲ ନୋଟ ରାକେଟ ଏକ ମଦ୍ରାସାରୁ ଚାଲିଥିଲା । ଏହି ମାମଲାରେ ଆଫରିନ ଓ ଜାହିରକୁ ରିମାଣ୍ଡରେ ଆଣି ଓଡ଼ିଶା ଲିଙ୍କ ର ଖୋଳତାଡ କରିବ ।