ଚାନ୍ଦିପୁର DRDO ଗୁପ୍ତଚର ମାମଲା: ତଦନ୍ତ ପାଇଁ ବାଲେଶ୍ୱରରେ ପହଞ୍ଚିଛି NIA ଟିମ୍

କେନ୍ୟୁଜ୍(ବ୍ୟୁରୋ):  ଚାନ୍ଦିପୁର ଗୁପ୍ତଚର ମାମଲାରେ ଖୋଳତାଡ ଜାରି ରହିଛି । ଅଧିକ ତଦନ୍ତ ପାଇଁ ବାଲେଶ୍ୱରରେ ପହଞ୍ଚିଛି ନ୍ୟାସନାଲ୍‌ ଇନଭେଷ୍ଟିଗେଟିଭ୍‌ ଏଜେନ୍ସୀ ବା ଏନଆଇର ଦୁଇ ଜଣିଆ ଟିମ୍‌ । କୋଲକାତାରୁ ଦୁଇ ଜଣିଆ ଟିମ୍‌ ପହଞ୍ଚିଛନ୍ତି । ଆଜି ଆଉ ଜଣେ ଅଭିଯୁକ୍ତଙ୍କୁ ମିଶାଇ ମୋଟ୍‌ ୫ ଜଣଙ୍କୁ ଗିରଫ କରାଯାଇଛି । ଆଜି ଆଇଟିଆରରେ ଡ୍ରାଇଭର ଭାବେ କାର୍ଯ୍ୟରତ ସଚ୍ଚିନ ଛେତାକୁ ଗିରଫ କରାଯାଇଥିଲା । ସେ ନିୟମିତ ଡ୍ରାଇଭର ଥିଲେ । ସଚ୍ଚିନ ଛେତାଙ୍କ ଘର ଉତ୍ତରପ୍ରଦେଶରେ । ସଚ୍ଚିନ ଛେତାଙ୍କୁ ଗିରଫ ପରେ ବାଲେଶ୍ୱର ଏସଡିଜେଏମ କୋର୍ଟରେ ହାଜର କରିଥିଲା ଚାନ୍ଦିପୁର ଥାନା ପୋଲିସ । ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଛି ।

ପୂର୍ବରୁ ହନିଟ୍ରାପ୍‌ରେ ପଡ଼ି ଡିଆରଡିଓର ଗୁପ୍ତ ତଥ୍ୟ ଦେଇଥିବା ଅଭିଯୋଗରେ ଚାନ୍ଦିପୁର ଆଇଟିଆରର ୪ ଜଣ ଠିକା କର୍ମଚାରୀ ଗିରଫ ହୋଇଥିଲେ । ଏଭିତରେ ବାଲେଶ୍ୱରରେ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍‌ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛିି। କ୍ରାଇମ୍‌ବ୍ରାଞ୍ଚ ADGଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ଟିମ୍‌ ଗଠନ ହୋଇଛି। ବିଭିନ୍ନ ଦିଗ ଉପରେ ତଦନ୍ତ ଆରମ୍ଭ କରିଛି କ୍ରାଇମ୍‌ବ୍ରାଞ୍ଚ। ଅନୁସନ୍ଧାନରୁ ଜଣାପଡିଛି, ହନିଟ୍ରାପ୍‌ର ପଡ଼ିଥିବା ଯୁବକମାନେ ବିଦେଶୀ ସଂସ୍ଥାକୁ ଡିଆରଡିଓର ଗୁପ୍ତ ତଥ୍ୟ ଦେଉଥିଲେ । ଠୋସ୍‌ ପ୍ରମାଣ ମିଳିବା ପରେ ଡିଆରଡିଓରେ ଠିକାରେ କାମ କରୁଥିବା ୪ ଜଣଙ୍କୁ ଗିରଫ କରିଥିଲା ଚାନ୍ଦିପୁର ପୋଲିସ। ଏହି ମାମଲାରେ ଆଉ କିଏ ସାମିଲ ଥିଲେ କି ? କେଉଁ କେଉଁ ତଥ୍ୟ ବାହାରକୁ ପଠାଯାଇଛି ? ହନିଟ୍ରାପ୍‌ କରିଥିବା ମହିଳାଙ୍କ ପରିଚୟ ମଧ୍ୟ ଖୋଜି ବାହାର କରିବାକୁ ଉଦ୍ୟମ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.