ବାଲେଶ୍ବର(କେନ୍ୟୁଜ୍):ବାଲେଶ୍ୱର ସାଇବର ଥାନା ପୋଲିସ ଦ୍ଵାରା ଠକ ନାଇଜେରିଆ ଦମ୍ପତି ଗିରଫ । ନାଇଜେରିଆ ନାଗରିକ ଇମାନୁଏଲ ଏନ୍ନାମନି ଓ ତାଙ୍କ ସ୍ତ୍ରୀ ନାଗାଲାଣ୍ଡର ନାଗରିକ ଟି ସୁଚିମ୍ ତିଖିର ଗିରଫ । ଏମାନଙ୍କୁ ଦିଲ୍ଲୀରୁ ଗିରଫ କଲା ସାଇବର ଥାନା ପୋଲିସ । ସେମାନଙ୍କଠାରୁ ଲାପଟପ୍ , ଗୋଟିଏ କାର, ଭିସା , ଦୁଇଟି ପାସବୁକ୍ , ଦୁଇଟି ସୁନା ଚେନ୍, ମୁଦି , ମୋବାଇଲ ଫୋନ୍ ଜବତ ହୋଇଛି। ଉଭୟେ ନିଜକୁ କଷ୍ଟମ୍ସ ଅଫିସର ଭାବରେ ପରିଚୟ ଦେଇ ବିଭିନ୍ନ ଲୋକଙ୍କୁ ବିଦେଶୀ ଉପହାର ସାମଗ୍ରୀ ପଠାଇବା ପାଇଁ ପ୍ରଲୋଭନ କରୁଥିଲେ । ଏମାନେ ସୋସିଆଲ ମିଡିଆରେ ସମ୍ପର୍କ ସ୍ଥାପନ କରି ଅନ୍ତରଙ୍ଗ ସହକାରେ ବନ୍ଧୁତ୍ୱ ସ୍ଥାପନ କରିଥିଲେ।
ପରେ ପ୍ରେମ ଜାଲରେ ଫସାଉଥିଲେ। ସଂପୃକ୍ତ ବ୍ୟକ୍ତିଙ୍କୁ ଦାମୀ ଉପହାର ପଠାଇବା ନାଁରେ କଷ୍ଟମ ଅଫିସର ଭାବରେ ନିଜକୁ ପରିଚୟ ଦେଇ ଉପହାରକୁ ପାର୍ଶଲ ବାବଦରେ କଷ୍ଟମ ଚାର୍ଜ ଦେବାକୁ ଦାବି କରି ଅର୍ଥ ହଡପ୍ କରୁଥିଲେ। ପୂର୍ବରୁ ବାଲେଶ୍ୱର ସାଇବର ଥାନା ପୋଲିସ ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ୩୦ଲକ୍ଷ ଠକେଇ ଅଭିଯୋଗରେ ଗତ ଅଗଷ୍ଟ ୬ରେ ଜଣେ ନାଇଜେରିଆ ନାଗରିକ ସାମସନ୍ ଇମିକେ ଏଲିକାକୁ ଗିରଫ କରିଥିଲା। ସେହି ମାମଲାରେ ଆଜି ଦମ୍ପତିଙ୍କୁ ଗିରଫ କରିଛି ବାଲେଶ୍ୱର ସାଇବର ଥାନା ପୋଲିସ ।