ନାଇଜେରିଆ ନାଗରିକ ଗିରଫ ଘଟଣା, ଦୁଇ ଦେଶର ସହାୟତା ଲୋଡ଼ିଲା କମିଶନରେଟ ପୋଲିସ

କଟକ : ନାଇଜେରିଆ ନାଗରିକ ଗିରଫ ଘଟଣା । ରେମଣ୍ଡର ପାସପୋର୍ଟ ସତ୍ୟତା ଜାଣିବା ପାଇଁ ଦୁଇ ଦେଶର ସହାୟତା ଲୋଡ଼ିଲା କମିଶନରେଟ ପୋଲିସ। ନାଇଜେରିଆ ଓ ଆଇଭରି କୋଷ୍ଟ ପାସପୋର୍ଟ ବିଭାଗକୁ ସହାୟତା ପାଇଁ ମେଲ୍ କରିଛି କମିଶନରେଟ୍ ପୋଲିସ । ଅଭିଯୁକ୍ତ ଜେଜେଇ ରେମଣ୍ଡ ପାଖରୁ ଅନେକ ଗୁରୁତ୍ୱପୁର୍ଣ୍ଣ ତଥ୍ୟ ପାଇଛି ତଦନ୍ତକାରୀ ଟିମ୍ । ତଦନ୍ତରେ କିଛି ନୂଆ କଥା ସାମ୍ନାକୁ ଆସିଛି। ଆବଶ୍ୟକ ପଡିଲେ ଅଭିଯୁକ୍ତକୁ ପୁଣି ଥରେ ରିମାଣ୍ଡରେ ଆଣି ଅଧିକ ପଚରା ଉଚରା କରାଯିବ ବୋଲି କଟକ ଡିସିପି ସୂଚନା ଦେଇଛନ୍ତି।
ଅଭିଯୁକ୍ତର ବ୍ୟାଙ୍କ ଆକାଉଣ୍ଟର ଆର୍ଥିକ କାରବାରକୁ ଅନୁଧ୍ୟାନ କରି ଚାଞ୍ଚଲ୍ୟକର ତଥ୍ୟ ପାଇଛି ପୋଲିସ। ଅଳ୍ପ ଦିନ ବ୍ୟବଧାନରେ ଏହି ଆକାଉଣ୍ଟ ଗୁଡ଼ିକରେ କୋଟିଏରୁ ଅଧିକ ଟଙ୍କାର କାରବାର ହୋଇଛି। ଏହା ସହ ବିଦେଶୀ ମୁଦ୍ରାର ମଧ୍ୟ କାରବାର ହୋଇଛି। ଅଭିଯୁକ୍ତର ଆଉ କିଛି ସୋସିଆଲ ମିଡିଆ ଆକାଉଣ୍ଟ ସମ୍ପର୍କରେ ଜାଣିବାକୁ ପାଇଛି ପୋଲିସ। ଏହି ମାମଲାରେ ରେମଣ୍ଡ ବ୍ୟତୀତ ଅନ୍ୟ କାହାରି ସଂପୃକ୍ତି ସାମ୍ନାକୁ ଆସିନଥିବା ଡିସିପି ସୂଚନା ଦେଇଛନ୍ତି।
ଦେଶ ତଥା ଦେଶ ବାହାରୁ ବହୁ ଯୁବତୀ ରେମଣ୍ଡର ଶୋଷଣର ଶିକାର ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ଥାନାକୁ ଯାଇ ପୋଲିସର ପରାମର୍ଶ ନେବାକୁ କୁହାଯାଇଛି। କଟକର ଜଣେ ଯୁବତୀଙ୍କୁ ଵ୍ଲାକମେଲ ଓ ସେକ୍ସଟର୍ସନ ଘଟଣାରେ ଦିଲ୍ଲୀର ଉତ୍ତମନଗର ଅଞ୍ଚଳରୁ ରେମଣ୍ଡକୁ ଗିରଫ କରିଥିଲା ପୋଲିସ। ଗିରଫ ପରେ ପାଞ୍ଚ ଦିନ ପାଇଁ ରିମାଣ୍ଡରେ ଆସିଥିଲା ଅଭିଯୁକ୍ତ ରେମଣ୍ଡ।