ଆମ ଓଡିଶାର ଚାଲିଚଳଣିଠାରୁ ପରମ୍ପରା ଯାଏ ସବୁ କିଛି ବେଶ ନିଆରା । ଏଠାରେ ଲୋକଙ୍କ ବିଣ୍ଵାସ ମୂଳେ ଭଗବାନ ପୂଜା ପାଆନ୍ତି । କେତେବେଳେ ସ୍ଥାଣୁ ପଥରରେ ଦେବାଦେବୀଙ୍କ ରୂପକୁ ଆଙ୍କି ପୂଜା କରାଯାଏ ତ ଆଉ କେତେବେଳେ ଏଠାରେ ବର ଓସ୍ତ ଗଛରେ ଗୋଡି ବାନ୍ଧି ମାନସିକ କରାଯାଏ । କାରଣ ଏଠାକାର ଲୋକଙ୍କ ମଧ୍ୟରେ ଭଗବାନ ସବୁଠି ଆଉ ସବୁ ରୂପରେ ନିଜ ଭକ୍ତର ମନ କଥା ଶୁଣିଥାନ୍ତି ବୋଲି ଅଗାଢ ବିଶ୍ୱାସ ରହିଛି । ଆଉ ବିଶେଷ କରି ଆଦିବାସୀ ପରମ୍ପରା କଥା କହିଲେ ଏମାନଙ୍କର ଏସବୁ ପୂଜାପାଠ ଉପରେ ଅଗାଢ ବିଶ୍ୱାସ ରହିଛି ।
ସେହିଭଳି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଠେମରା ପଞ୍ଚାୟତ ଅନ୍ତର୍ଗତ ଜାମତରା ଗ୍ରାମରେ ଦେଖିବାକୁ ମିଳିଛି ଆଦିବାସୀ ଲୋକଙ୍କ ପୂଜାପାଠ । ତେବେ ଗତ କିଛି ଦିନ ହେବ ଏହି ଅଞ୍ଚଳରେ ଅନେକ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ ଏବଂ କିଛି ଜଣଙ୍କର ମୃତ୍ୟୁ ମଧ୍ୟ ଘଟିଛି । ଏଭଳି ପରିସ୍ଥିତି ଏହି ରୋଗ ପ୍ରକୋପରୁ ରକ୍ଷା ପାଇବା ପାଇଁ ଏହି ଅଞ୍ଚଳର ଲୋକମାନେ ସମସ୍ତ ଦେବାଦେବୀଙ୍କ ପୂଜା ପାଠ ଏବଂ ପ୍ରାର୍ଥନା କରିଛନ୍ତି । ତେବେ ବର୍ତ୍ତମାନ ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମୁଥିବାର ଦେଖିବାକୁ ମିଳିଛି ।
ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିବା ରୋଗୀମାନଙ୍କ ମଧ୍ୟରେ ପ୍ରାୟ ଆକ୍ରାନ୍ତ ବିଭିନ୍ନ ପ୍ରାଇଭେଟ୍ ହସ୍ପିଟାଲରେ ଚିକିତ୍ସିତ ହେବାପାଇଁ ଯାଇଥିବା ବେଳେ ଅନେକ ରୋଗୀ ଚିକିତ୍ସାଧୀନ ଥିବା ଖବର ମିଳିଛି । ଆଜି ସିନ୍ଧେକେଲା ସିଏଚସିରେ ୩ ଜଣ ନୂଆ ଆକ୍ରାନ୍ତ ଏବଂ ଜାମତରା ଅସ୍ଥାୟୀ ମେଡିକାଲ କ୍ୟାମ୍ପରେ ୨ ଜଣ ଚିକିତ୍ସିତ ହେଉଛନ୍ତି । ମୃତ୍ୟୁ ସଂଖ୍ୟା ତିନିରେ ରହିଛି ହେଲେ ମୃତ୍ୟୁର କାରଣ ଜଣାପଡ଼ିନାହିଁ । ଆଗରୁ ଟିଟିଲାଗଡ଼, କଣ୍ଟାବାଞ୍ଜି, ଭବାନୀପାଟଣା, ବଲାଙ୍ଗୀର, ବିଷମକଟକ, ରାୟପୁର ଆଦି ସ୍ଥାନରେ ମଧ୍ୟ ବହୁ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ।
ତେବେ ବର୍ତ୍ତମାନର ସ୍ଥିତିକୁ ଦେଖି କିଭଳି ଗାଁରେ ଆକ୍ରାନ୍ତଙ୍କ ସଂଖ୍ୟା କମିବ ସେ ନେଇ ରାତି ଅଧିଆ ଗ୍ରାମରେ ଥିବା ଦେବାଦେବୀଙ୍କ ପୂଜା ପାଠର ଏକ ଭିଡିଓ ଭାଇରାଲ ହୋଇଛି । ଏନେଇ ଆମେ ଗାଁର କିଛି ଲୋକଙ୍କ ପ୍ରତିକ୍ରିୟା ନେବାରୁ ସେମାନେ କହିଛନ୍ତି ଗାଁ ଲୋକେ ଅନ୍ଧବିଶ୍ୱାସକୁ ପ୍ରୋତ୍ସାହନ ଦେଉନାହାନ୍ତି ବରଂ ଯେହେତୁ ଏହା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଗାଁରେ ଲୋକେ କିଭଳି ରୋଗ ବ୍ୟାଧିରୁ ମୁକ୍ତି ହେବେ ସେନେଇ ଗାଁର ଦେବାଦେବୀଙ୍କୁ ପୂଜା କରାଯାଇଥିଲା ବୋଲି କହିଛନ୍ତି ।
କଥାରେ ଅଛି ବିଶ୍ୱାସେ ମିଳଇ ହରି ତର୍କେ ବହୁ ଦୂର । ଅର୍ଥାତ ଭଗବାନଙ୍କ ଉପରେ ବିଶ୍ୱାସ ହିଁ ମାନବକୁ ସବୁ ଅସୁବିଧାରୁ ମୁକ୍ତି ଦେଇଥାଏ । ଯେଉଁଠି ବିଶ୍ୱାସ ଅଛି ସେଠି ଭଗବାନ ଅଛନ୍ତି । ସେହିଭଳି ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକେ ମଧ୍ୟ ଭଗବାନଙ୍କ ଉପରେ ଭରସା ରଖି ଏହି ମହାମାରୀ ପ୍ରକୋପରୁ ରକ୍ଷା ପାଇପାରିବେ ବୋଲି ପୂଜାପାଠ ତଥା ସମସ୍ତ ଦେବାଦେବୀଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।