ଲୁଟେରାଙ୍କ ଉପରେ ନଜର, ରାଜଧାନୀର ବିଭିନ୍ନ ହୋଟେଲରେ କମିଶନରେଟ ପୋଲିସର ଚେକିଂ
ଭୁବନେଶ୍ୱର : ହୋଟେଲରେ କମିଶନରେଟ ପୋଲିସର ଚେକିଂ ଡ୍ରାଇଭ । ରାଜଧାନୀର ବିଭିନ୍ନ ହୋଟେଲରେ ଗତ ରାତିରେ ପୋଲିସ ଚେକିଂ କରିଛି । ହୋଟେଲରେ ରହୁଥିବା ଲୋକଙ୍କ ବାବଦରେ ଯାଞ୍ଚ କରାଯାଇଛି । ବିଭିନ୍ନ ସମୟରେ ବାହାରୁ ଆସୁଥିବା ଦୁର୍ବୃତ୍ତମାନେ ହୋଟେଲରେ ରହୁଥିବା ନଜରକୁ ଆସୁଛି । ଏଥିପାଇଁ ଖାରବେଳନଗର, ସହିଦନଗର, ଲକ୍ଷ୍ମୀସାଗର, ଭରତପୁର, ଖଣ୍ଡଗିରି ଓ ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ବିଭିନ୍ନ ହୋଟେଲକୁ ପୋଲିସ ଯାଇ ଯାଞ୍ଚ କରିଛି । ଏହି ସେଫ୍ ସିଟି ଡ୍ରାଇଭର ଉଦ୍ଦେଶ୍ୟ ଯେ ହୋଟେଲରେ ଅପରାଧୀ କିମ୍ବା ଦୁର୍ବୃତ୍ତ ମାନେ ଯେପରି ନ ରୁହନ୍ତି । ରାଜଧାନୀରେ ଡେରା ପକାଉଥିବା ଲୁଟେରା ଏବଂ ଠକଙ୍କୁ ଠାବ କରିବାକୁ ଏଭଳି ଅଭିଯାନ କରାଯାଉଥିବା କମିଶନରେଟ ପୋଲିସ୍ ପକ୍ଷରୁ କୁହାଯାଇଛି ।
ଏଥିସହ ସରାଇ ନିୟମକୁ ପାଳନ ଲାଗି କଡ଼ା ନିର୍ଦ୍ଦେଶ ଜାରି ହୋଇଛି । ସନ୍ଦିଗ୍ଧଙ୍କୁ ଧରିବା ପାଇଁ ପୋଲିସ୍ ଏଭଳି ପଦକ୍ଷେପ ଆପଣାଇଛି। ସରାଇ ନିୟମକୁ ହୋଟେଲ କର୍ତ୍ତୃପକ୍ଷ ଅଣଦେଖା କରିଦେଇଥିବାରୁ କେତେକ ଅପରାଧୀ ଗ୍ୟାଙ୍ଗ୍ ରାଜଧାନୀରେ ସହଜରେ ଡେରା ପକାଇଥିବା କୁହାଯାଉଛି । ତେଣୁ ଏଣିକି ସରାଇ ନିୟମକୁ କଡ଼ାକଡ଼ି କରି ପୋଲିସ୍ ରାଜଧାନୀରେ ଲୁଟେରା ଓ ଠକଙ୍କ କାର୍ଯ୍ୟକଳାପରେ ଅଙ୍କୁଶ ଲଗାଇବାକୁ କମିଶନରେଟ ପୋଲିସ୍ ଯୋଜନା ପ୍ରସ୍ତୁତ କରିଥିବା କୁହାଯାଉଛି।