ନର୍ସ ନିହାରିକା ହତ୍ୟା ଘଟଣା : ରାଜା ଏବେ ଜେଲରେ କରୁଛି ଅନୁତାପ

ଜଗତସିଂହପୁର (କେ ନ୍ୟୁଜ) : ଜଗତସିଂହପୁରର ବହୁ ଚର୍ଚ୍ଚିତ ନିହାରିକା ହତ୍ୟା ଘଟଣାର ପୋଷ୍ଟମର୍ଟମ ଏବଂ ଡିଏନ୍‌ଏ ଟେଷ୍ଟ ରିପୋର୍ଟ ଆସିଛି। ରିପୋର୍ଟରୁ ଜଣାପଡିଛି ଯେ ଅଖା ଭିତରୁ ଉଦ୍ଧାର କରାଯାଇଥିବା ମୃତଦେହ ନିହାରିକାର। ରାଜା ହିଁ ତାକୁ ତଣ୍ଟିଚିପି ହତ୍ୟା କରିଛି। ପୋଲିସର ତଦନ୍ତ ଅନୁସାରେ ରାଜା ହିଁ ହତ୍ୟାକାରୀ। ପୋଲିସ ରାଜାକୁ ଗିରଫ କରି ଆଳିପିଙ୍ଗଳ ଜେଲରେ ରଖିଛି।

କିନ୍ତୁ ରାଜା ଜେଲରେ ରହି ମଧ୍ୟ ନିହାରିକାକୁ ଭୁଲି ପାରିନି। ଏବେ ବି ରାଜା ଝୁରୁଛି ନିହାରିକାକୁ। ଜେଲରେ ରହି କରୁଛି ଅନୁତାପ। ୪ ନଂ ଓ୍ଵାର୍ଡରେ ରହି ନିଜେ ଘଟାଇଥିବା କାଣ୍ଡ ପାଇଁ ସହୁଛି ଯନ୍ତ୍ରଣା। କହୁଛି ସେ କିଛି କରିନି କି ନିହାରିକାକୁ ମାରି ନାହିଁ।

niharika

ଏପଟେ ପୋଲିସ ଏସ୍‌ଡିପିଓ କହିଛନ୍ତି, ରାଜା ହିଁ ନର୍ସ ନିହାରିକାକୁ ମାରିଛି। ଏହି ଘଟଣାର ୯୦ ପ୍ରତିଶତ ତଦନ୍ତ ଶେଷ ହୋଇସାରିଛି। ଖୁବ ଶୀଘ୍ର ବିରିଡି ପୋଲିସ ଓ ଆଇଆଇସି ବିରିଡି କୋର୍ଟରେ ଚାର୍ଜସିଟ ଦାଖଲ କରିବେ। ଏପଟେ ରାଜାର ବାପା ତଦନ୍ତରେ ଖୁସି ନଥିବା ଜଣାପଡିଛି।

ସୂଚନାଯୋଗ୍ୟ, ଜଗତସିଂହପୁର ଜିଲ୍ଲା ବିରିଡ଼ି ଥାନା ଅନ୍ତର୍ଗତ ନୂଆପାଲି ଅଞ୍ଚଳର ରାଜା ଏବଂ ନିହାରିକା। ଦୁହେଁ ପରସ୍ପରକୁ ପ୍ରେମ କରୁଥିଲେ ଏବଂ ବିବାହ କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। କିନ୍ତୁ ବିବାହକୁ ନେଇ ଦୁହିଁଙ୍କ ମଧ୍ୟରେ ଦେଖାଦେଇଥିଲା ମନାନ୍ତର। ତେଣୁ କଟକର ଏକ ଘରୋଇ ନର୍ସିଂହୋମରେ ନର୍ସ ଭାବେ କାମ କରୁଥିବା ନିହାରିକାକୁ ମାରି ଅଖାରେ ଭର୍ତ୍ତି କରି ବିଲୁଆଖାଇ ନଦୀ ପଠାରେ ପକାଇଦେଇଥିଲା। ପରେ ବିରିଡି ଥାନାରେ ରାଜା ଆତ୍ମସମର୍ପଣ କରିଥିଲା ।